ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ନବୀନ ନିବାସରେ ଅନୁଷ୍ଠିତ ଦଳୀୟ ବୈଠକରେ ସେ ଏହି ଘଟଣାକୁ ନେଇ ନିଜର ମର୍ମାହତ ଭାବ ବ୍ୟକ୍ତ କରିଛନ୍ତି।

ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଅସ୍ତିଆ ଗ୍ରାମର ମୃତ ଯୁବକ ଶେଖ ମକରନ୍ଦ ମହମ୍ମଦଙ୍କ ପରିବାରକୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳରେ ସାଂସଦ ସୁଲତା ଦେଓ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ଭଦ୍ରକ ପୌରାଧ୍ୟକ୍ଷା ଗୁଲମାକି ହବିବ ସାମିଲ ଥିଲେ। ସେମାନେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲା ପୋଲିସ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି।

ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଗଣମାଧ୍ୟମକୁ କହିଛନ୍ତି ଯେ, ସ୍ୱାଧୀନତା ପରଠାରୁ ଶାନ୍ତିପ୍ରିୟ ଓଡ଼ିଶାରେ ଏଭଳି ଜଘନ୍ୟ କାଣ୍ଡ କେବେ ଘଟିନଥିଲା। ରାଜ୍ୟରେ “ଡବଲ୍ ଇଞ୍ଜିନ” ସରକାର ଆସିବା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଅନ୍ୟପଟେ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଭାଜପା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନୂତନ ସରକାର ଅମଳରେ ସଂଖ୍ୟାଲଘୁ, ଦଳିତ ଏବଂ ଆଦିବାସୀଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି।

Odisha: Naveen Patnaik expresses anguish over killing of minority youth in Balasore

Share