ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ ହୋଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ (MKBY) ମାଧ୍ୟମରେ ଯୋଗ୍ୟ ହିତାଧିକାରୀଙ୍କୁ ୫୧,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ବାଲ୍ୟ ବିବାହ ରୋକିବା ଏବଂ କନ୍ୟା ସନ୍ତାନର ଶିକ୍ଷାକୁ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ଏହି ଯୋଜନା ଅନ୍ତର୍ଗତ ମୋଟ ୫୧,୦୦୦ ଟଙ୍କାକୁ ନିମ୍ନମତେ ପ୍ରଦାନ କରାଯିବ। କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୩୫,୦୦୦ ଟଙ୍କା ଟ୍ରାନ୍ସଫର କରାଯିବ। ଶାଢ଼ୀ, ଅଳଙ୍କାର ଏବଂ ବାସନକୁସୁନ ପାଇଁ ୧୦,୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିବାହ ଆୟୋଜନ, ସାଜସଜ୍ଜା ଓ ଖାଦ୍ୟପେୟ ପାଇଁ ବାକି ୬,୦୦୦ ଟଙ୍କା ବ୍ୟୟ କରାଯିବ।

ଯୋଗ୍ୟତା ଓ ସର୍ତ୍ତାବଳୀ:
୧. ବୟସ ସୀମା: ବିବାହ ସମୟରେ କନ୍ୟାର ବୟସ ୧୮ ରୁ ୩୫ ବର୍ଷ ଏବଂ ବରର ବୟସ ୨୧ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
୨. ବାସିନ୍ଦା: ଉଭୟ ବର ଓ କନ୍ୟା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ।
୩. ବର୍ଗ: ଏହି ଯୋଜନା ମୁଖ୍ୟତଃ ବିପିଏଲ୍ (BPL) ଏବଂ ଆର୍ଥିକ ଅନଗ୍ରସର ବର୍ଗର ପରିବାର ପାଇଁ ଉଦ୍ଦିଷ୍ଟ। ବିଧବା ଓ ଅସହାୟ ଶ୍ରେଣୀର ମହିଳାଙ୍କୁ ଏଥିରେ ପ୍ରାଥମିକତା ଦିଆଯିବ।

କିପରି ହେବ କାର୍ଯ୍ୟକାରୀ?
ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଅଙ୍ଗନବାଡ଼ି କର୍ମୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ଏବଂ ସ୍ୱେଚ୍ଛାସେବୀ ସଂଗଠନମାନେ ହିତାଧିକାରୀ ଚିହ୍ନଟ ଓ ନଥିପତ୍ର ଯାଞ୍ଚରେ ସାହାଯ୍ୟ କରିବେ। ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା ପାଇଁ ସରକାର ୫୯.୩୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି। ଏହି ଯୋଜନାରେ ସମୂହ ବିବାହକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ।