ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ, ଜାଣନ୍ତୁ କେତେ…

ଭୁବନେଶ୍ୱର,୧୨।୧୨: ସାରା ଦେଶରେ ଓଡ଼ିଶାର ବିଧାୟକଙ୍କ ଦରମା ସବୁଠାରୁ ଅଧିକ। ସବୁଠାରୁ ବଡ଼ କଥା ହେଉଛି ଅଟୋମେସନ ପ୍ରୋସେସରେ ପ୍ରତି ୫ ବର୍ଷରେ ବିଧାୟକଙ୍କ ଦରମା ବଢ଼ିବ। ମୂଳ ଦରମା ଓ ଭତ୍ତାକୁ ମିଶାଇ ଓଡ଼ିଶାର ବିଧାୟକ ସର୍ବାଧିକ ୩ ଲକ୍ଷ ୪୫ ହଜାର ଟଙ୍କା ଦରମା ପାଇବେ। ତାପୁଣି ୨୦୨୪ରୁ ପିଛିଲା ଭାବେ ଲାଗୁ କରାଯିବ। ଯଦି ବିଧାୟକଙ୍କ ଦରମା ଦେଖିବା ସାରା ଦେଶରେ ଝାଡ଼ଖଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି। ଝାଡ଼ଖଣ୍ଡରେ ବିଧାୟକଙ୍କ ଦରମା ୨ ଲକ୍ଷ ୮୮ ହଜାର ଟଙ୍କା।

ସେହିପରି ମହାରାଷ୍ଟ୍ରରେ ୨ ଲକ୍ଷ ୬୧ ହଜାର ଟଙ୍କା ଓ ତେଲଙ୍ଗାନାରେ ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି। ମଣିପୁରରେ ୨ ଲକ୍ଷ ୫୦ ହଜାର, ହିମାଚଳ ପ୍ରଦେଶ- ୨ ଲକ୍ଷ ୧୦ ହଜାର ଟଙ୍କା ରହିଛି। ବିଧାୟକଙ୍କ ଦରମା ବାବଦରେ ପାଇବେ ମାସିକ ୯୦ ହଜାର ଟଙ୍କା। ନିର୍ବାଚନମଣ୍ଡଳୀ ଭତ୍ତା ବାବଦରେ ତାଙ୍କୁ ମାସିକ ମିଳିବ ୭୫ ହଜାର ଟଙ୍କା। ଏହାସହିତ ଗାଡ଼ି ରକ୍ଷଣାବେକ୍ଷଣ, ପରିବହନ ଖର୍ଚ୍ଚ, ବିଦ୍ୟୁତ ବିଲ, ଯାତ୍ରା ଖର୍ଚ୍ଚ, ଚିକିତ୍ସା ଭତ୍ତା ଓ ଟେଲିଫୋନ ଭତ୍ତା ମିଶି ଜଣେ ବିଧାୟକ ମାସକୁ ପାଇବେ ୩ ଲକ୍ଷ ୪୫ ହଜାର ଟଙ୍କା।

ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା ହେଲା ୩ ଲକ୍ଷ ୭୪ ହଜାର ଟଙ୍କା। ବିଧାନସଭା ବାଚସ୍ପତି ଦରମା ଓ ଭତ୍ତା ବାବଦରେ ମାସିକ ପାଇବେ ୩ ଲକ୍ଷ ୬୮ ହଜାର ଟଙ୍କା। ଉପମୁଖ୍ୟମନ୍ତ୍ରୀଙ୍କ ଦରମା ୩ ଲକ୍ଷ ୬୮ ହଜାର।ଉପବାଚସ୍ପତିଙ୍କ ମାସିକ ଦରମା ହେଲା ୩ ଲକ୍ଷ ୫୬ ହଜାର ଟଙ୍କା। ସେହିପରି ବିରୋଧୀ ଦଳ ନେତାଙ୍କ ମାସିକ ଦରମା ଓ ଭତ୍ତା ମିଶି ହେଲା ୩ ଲକ୍ଷ ୬୨ ହଜାର ଟଙ୍କା। ବିରୋଧୀ ଦଳ ନେତାଙ୍କ ସହ ସମାନ ଦରମା କ୍ୟାବିନେଟ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ପାଇବେ।

ପ୍ରଥମ କରି ନିର୍ବାଚିତ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପରେ ପୂର୍ବତନ ବିଧାୟକ ୫ ବର୍ଷ ପାଇଁ ମାସିକ ପେନସନ ବାବଦରେ ପାଇବେ ୮୦ ହଜାର ଟଙ୍କା। ଚିକିତ୍ସା ଖର୍ଚ୍ଚ ବାଦଦରେ ମିଳିବ ମାସିକ ୨୫ ହଜାର, ଯାତ୍ରା ଖର୍ଚ୍ଚ ବାବଦରେ ମାସିକ ପାଇବେ ୧୨ ହଜାର ୫୦୦ ଟଙ୍କା ।