ଭୁବନେଶ୍ୱର,୨୩ା୭(ସୁନିତ୍ ମିଶ୍ର):ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ମଙ୍ଗଳବାର ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ତାଙ୍କ ସହ ଭାଜପା ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ମଧ୍ୟ ଗସ୍ତ କରିଛନ୍ତି। ଦଳର ଏହି ୨ ଶୀର୍ଷ ନେତୃତ୍ୱ ଏକାସଙ୍ଗେ ଦିଲ୍ଲୀ ଗସ୍ତରେ ଯିବା ରାଜନୈତିକ ମହଲରେ ଭିନ୍ନ ଭିନ୍ନ ପ୍ରକାରର ଚର୍ଚ୍ଚା ବଢାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଫେରିବା ପରେ ଏହି ୨ ଶୀର୍ଷ ନେତାଙ୍କ ଗସ୍ତ ସରକାରରେ ଆଉ କିଛି ନୂଆ ନିଯୁକ୍ତି ଆଦି ବିଷୟକୁ ଅଧିକ ଖୋରାକ୍ ଯୋଗାଇଛି। ଭାଜପା ସରକାରରେ ଆଉ ୬ଟି ମନ୍ତ୍ରୀ ପଦ ଖାଲି ପଡିଛି। ସରକାର ପୂରଣକୁ ବର୍ଷେ ପୂରଣ ହୋଇସାରିଲାଣି। ତେଣୁ ଆଉ ଅଧିକ ଦିନ ପାଇଁ ଏହି ମନ୍ତ୍ରୀ ପଦ ଖାଲି ରଖିବାକୁ ଦଳ ଚାହୁଁ ନ ଥାଇପାରେ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସରକାରଙ୍କ ବିରୋଧରେ କିଛିଦିନ ହେଲା ବିରୋଧୀ ଦଳ କେତେକ ଗୁରୁତର ଅଭିଯୋଗ ଆଣିଥିବା ଯୋଗୁ କେତେଜଣଙ୍କୁ ମନ୍ତ୍ରୀ ପଦରୁ ବିଦା କରିପାରନ୍ତି ବୋଲି ମଧ୍ୟ କୁହାଯାଉଛି। ଅନ୍ୟପଟେ ଦଳର ରାଜ୍ୟ ସଭାପତିି ଚୟନ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସାଙ୍ଗକୁ ଖାଲି ପଡିଥିବା ନିଗମ ଓ ବୋର୍ଡରେ ଭାଜପା ନେତାଙ୍କୁ ଥଇଥାନ କରାଯାଇ ପଦବୀ ପୂରଣ କରାଯିବ ବୋଲି ଶୁଣାଯାଉଥିଲା। ଏନେଇ ଦଳର କେତେଜଣ ବରିଷ୍ଠ ନେତା ମଧ୍ୟ କହିଥିଲେ। ସେହିପରି ମନମୋହନ ମଧ୍ୟ କିଛିଦିନ ତଳେ ଖାଲି ପଡିଥିବା ମନ୍ତ୍ରୀ ପଦବୀ ପୂରଣ ଏବଂ ବୋର୍ଡ ଓ ନିଗମରେ ନିଯୁକ୍ତି ଖୁବ୍ଶୀଘ୍ର ହେବ ବୋଲି କହିଥିଲେ। ତେଣୁ ରାଜ୍ୟରେ ଭାଜପାର ସଭାପତି ଭାବେ ମନମୋହନ ୪ର୍ଥ ଥର ଲାଗି ଦାୟିତ୍ୱ ନେଇସାରିବା ପରେ କେନ୍ଦ୍ରରେ ଥିବା ଦଳର କେତେଜଣ ଶୀର୍ଷ ନେତାଙ୍କୁ ଧନ୍ୟବାଦ ଶୁଣାଇବା ପାଇଁ ସେ ଏହି ଗସ୍ତ କରିଥାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି। ସାଙ୍ଗରେ ଦଳର ସଙ୍ଗଠନ ମନ୍ତ୍ରୀ ଗସ୍ତ କରିଥିବାରୁ ଏହି ଅବସରରେ ଉଭୟ ଦୀର୍ଘଦିନ ଧରି ଚର୍ଚ୍ଚାରେ ଥିବା ପଦ ପଦବୀ ପୂରଣ କଥା ଚୂଡାନ୍ତ କରି ଫେରିଛନ୍ତି ବୋଲି କୁହାଯାଉଛି। ଏପରିକି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଫେରିବା ପରେ ରାଜ୍ୟପାଳଙ୍କ ସହ ଦେଖାକରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କଥା ହେଇସାରିଛନ୍ତି ଏବଂ ମନମୋହନ ସେଥିରେ ଚୂଡାନ୍ତ ମୋହର ଲଗାଇବାକୁ ଯାଇଥାଇପାରନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି।