ମହାକାଶ ଯିବ ଓଡ଼ିଶା ନିର୍ମିତ ‘ବ୍ୟୋମମିତ୍ର’

ଭୁବନେଶ୍ୱର,୧୨ା୧୦ (ସୁଚିସ୍ମିତା ସାହୁ): ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ) ଆସନ୍ତା ଡିସେମ୍ବରରେ ‘ଗଗନୟାନ’ ମିଶନରେ ହାପ୍‌ ହ୍ୟୁମାନଏଡ୍‌ ବା ଅର୍ଦ୍ଧମାନବୀୟ ରୋବୋକୁ ସାମିଲ କରିବାକୁ ଯାଉଛି। ପ୍ରଥମଥର ମହାକାଶ ଯିବ ମହିଳା ରୋବୋ ‘ବ୍ୟୋମମିତ୍ର’। ତେବେ ବ୍ୟୋମମିତ୍ରର ମୁଣ୍ଡ, ୨ଟି ହାତ ସହ ଶରୀରର ୯୦ ପ୍ରତିଶତ ଅଙ୍ଗକୁ ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ଟୁଲ୍‌ ଟ୍ରେନିଂ ସେଣ୍ଟର(ସିଟିଟିସି)ରେ ତିଆରି କରାଯାଉଛି। ଏହି ପରୀକ୍ଷଣ ସଫଳ ହେଲେ ୨୦୨୭ରେ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଯିବ। ସିଟିଟିସିରେ ଚାଲିଥିବା ଏହି ବଡ଼ ପ୍ରକଳ୍ପରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ କର୍ମଚାରୀ ସାମିଲ ଅଛନ୍ତି। ତେବେ ଏହି ଟିମ୍‌ର ଦାୟିତ୍ୱ ନେଇଛନ୍ତି ଓଡ଼ିଆ ବୈଜ୍ଞାନିକ। ଟାଇଟାନିୟମ ଧାତୁରେ ନିର୍ମିତ ଏହି ରୋବୋର ମୁଣ୍ଡଟି ଏଏଲ୍‌ଏସ୍‌ଆଇ-୧୦ଏମ୍‌ଜି ଧାତୁରେ ତିଆରି କରାଯାଇଛି, ଯାହାର ଓଜନ ୮୦୦ ଗ୍ରାମ। ୪ ମାସ ଭିତରେ ରୋବୋର ମୁଣ୍ଡ, ଦୁଇଟି ହାତ ଏବଂ ଶରୀରର ଅଧା ଅଂଶ ତିଆରି କରାଯାଇଛି। ରୋବୋଟିକ୍ସ ଟେକ୍ନୋଲୋଜି ମାଧ୍ୟମରେ ସୃଷ୍ଟି କରାଯାଇଥିବା ଏହି ମହିଳା ରୋବୋ ମହାକାଶରେ ତଥ୍ୟ ସଂଗ୍ରହ କରି ଇସ୍ରୋକୁ ପଠାଇବ। ମହାକାଶର ପରିବେଶ ମଣିଷଙ୍କ ଉପରେ କିଭଳି ପ୍ରଭାବ ପକାଇବ, ସେଠାରେ ମଣିଷ ଜୀବିତ ରହିପାରିବେ କି ନାହିଁ ସେ ସମ୍ପର୍କରେ ବ୍ୟୋମମିତ୍ର ମାଧ୍ୟମରେ ଅନୁଧ୍ୟାନ କରାଯିବ। ଏଥିସହ ସେଠାକାର ତାପମାତ୍ରା, ବାୟୁର ଚାପ, ଆର୍ଦ୍ରତା ସମ୍ବନ୍ଧୀୟ ତଥ୍ୟ ପୃଥିବୀ ପୃଷ୍ଠକୁ ପଠାଇବ ରୋବୋ। ସେହିପରି ଚନ୍ଦ୍ରୟାନ-୨ ପାଇଁ ମଧ୍ୟ ଆବଶ୍ୟକ ଯନ୍ତ୍ରାଂଶ ଏଠାରେ ତିଆରି କରାଯାଇଥିଲା ବୋଲି ସିଟିଟିସି ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ସିଟିଟିସି ପକ୍ଷରୁ ଏକ ଡକିଂ ଫାସିଲିଟି ମଧ୍ୟ ବିକଶିତ କରାଯାଉଛି, ଯାହାକୁ ଇସ୍ରୋ ମହାକାଶର କ୍ଲିନିଂ କାର୍ଯ୍ୟରେ ବ୍ୟବହାର କରିପାରିବ। ସିଟିଟିସିର ଜେନେରାଲ ମ୍ୟାନେଜର ଏଲ୍‌. ରାଜଶେଖର କହିଛନ୍ତି, ସ୍ପେସ୍‌ରେ ଯେଉଁସବୁ ପୁରୁଣା ସାଟେଲାଇଟ ଘୂରିବୁଲୁଛି, ସେ ସବୁକୁ କ୍ଲିନ୍‌ କରିବା ପାଇଁ ଏହି ଡକିଙ୍ଗ ଫାସିଲିଟି ପ୍ରସ୍ତୁତ ହୋଇଛି। ଏହା ଚନ୍ଦ୍ରୟାନ ଲାଣ୍ଡିଂ କରିଥିବା ସ୍ଥାନ ଅନୁସାରେ ଏହାର ନାମ ‘ଶିବଶକ୍ତି’ ରହିଛି। ଏହି ଅତ୍ୟାଧୁନିକ ମେଶିନ ସ୍ପେସ୍‌ ଷ୍ଟେଶନରୁ ସମସ୍ତ ଅଦରକାରୀ ବା ପୁରୁଣା ସାଟେଲାଇଟ୍‌କୁ ସଂଗ୍ରହ କରିବ ବୋଲି ସେ କହିଛନ୍ତି। ସେହିପରି ସିଟିଟିସିର ପ୍ରଡକ୍ସନ ମ୍ୟାନେଜର କେ. ବିଜୟ କୁମାର କହିଛନ୍ତି, ଇସ୍ରୋ ପାଇଁ ସିଟିଟିସି ବହୁଦିନରୁ କାର୍ଯ୍ୟ କରୁଛି। ଏହି ଜିନିଷ ସବୁ ତିଆରି କରିବା ପାଇଁ ବହୁ କମ୍ପୋନେଟ୍‌ର ବ୍ୟବହାର କରାଯାଇଛି। ତେବେ ରୋବୋ ‘ବ୍ୟୋମମିତ୍ର’ର ନିର୍ମାଣ କାର୍ଯ୍ୟ ଏକ ବର୍ଷ ହେବ ଆରମ୍ଭ କରାଯାଇଛି। ଏଥିରେ ୩ଡି ସହିତ ବହୁ ଆଧୁନିକ ଉପକରଣ ବ୍ୟବହାର କରାଯାଇଛି। ମହାକାଶରେ ରୋବୋ ସ୍କାନିଂ କରିବା ସହିତ ରାଡାରର ବ୍ୟବହାର କରିପାରିବ ବୋଲି ସେ କହିଛନ୍ତି।