ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ ଅବରୋଧ କରିଥିଲେ। ପୂର୍ବତନ ପିସିସି ସଭାପତି ତଥା ମନ୍ତ୍ରୀ ପ୍ରସାଦ ହରିଚନ୍ଦନଙ୍କ ନିର୍ଦ୍ଦେଶକ୍ରମେ ଶତାଧିକ କର୍ମୀ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ସତ୍ୟବାଦୀ ବ୍ଲକ ଛକରେ ଆନ୍ଦୋଳନ ଚଳାଇଥିଲେ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟରେ ଧାନମଣ୍ଡି ଖୋଲିବା ଏବଂ ଧାନ ବିକ୍ରିରେ ଅବ୍ୟବସ୍ଥା କାରଣରୁ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ସାର୍ଟିଫିକେଟ ନାଁରେ ସାଧାରଣ ଲୋକମାନଙ୍କଠାରୁ ସରକାର ହଜାର ଟଙ୍କା ଜରିମାନା ଆଦାୟ କରୁଛନ୍ତି। ଏପରିକି ପାଓ୍ବାର ସ୍ମାର୍ଟ ମିଟର ଲଗାଇବା ନାଁରେ ଲୁଟ୍ କରିବାରେ ସରକାର ଲାଗିପଡ଼ିଛିନ୍ତି ବୋଲି ବ୍ଲକ କଂଗ୍ରେସ ସଭାପତି ସୁବାସ ଚନ୍ଦ୍ର ମହାପାତ୍ର କହିଛନ୍ତି। ଖବରପାଇ ସତ୍ୟବାଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ। ପିପିଲି ଏସ୍ଡିପିଓ ଦେବାଶିଷ ମିଶ୍ର ଓ ସତ୍ୟବାଦୀ ଥାନା ଆଇଆଇସି ସୌମ୍ୟରଞ୍ଜନ ମହାଲିକ ପୋଲିସ ଫୋର୍ସ ସହ ମୁତୟନ ରହିଛନ୍ତି।

