ଥୁଆମୂଳ ରାମପୁର,୨୬।୭(ଦୁର୍ଗା କୀର୍ତ୍ତି): ପ୍ରେମିକାଙ୍କ ସହ ଗପୁଥିଲେ। ହଠାତ ସେଠାରେ ତାଙ୍କ ମା’ ପହଞ୍ଚିବା ପରେ ନାବାଳକଙ୍କୁ ମାରପିଟ ସହ ଗାଳିଗୁଲଜ କରିଥିଲେ। ଏହାପରଠାରୁ ନାବାଳକଜଣଙ୍କ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଥାନାରେ ଆଶ୍ରା ନେବା ପରେ ଶନିବାର ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏହା ଆତ୍ମହତ୍ୟା ବୋଲି ମନେ ହେଉଥିଲେ ହେଁ ପରିବାରଲୋକେ ହତ୍ୟା ଅଭିଯୋଗ କରିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କଳାହାଣ୍ଡି ଜଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ।
ଥାନାରେ କରାଯାଇଥିବା ଅଭିଯୋଗ ଅନୁଯାୟୀ, ବିରିକୋଟ ଗ୍ରାମର ପୁରୀ ସାହୁଙ୍କ ପୁଅ ନରେଶ ସାହୁ (୧୫) ପାଖ ଗାଁର ଜଣେ ଝିଅଙ୍କୁ ପ୍ରେମ କରୁଥିଲେ। ଗତ ବୁଧବାର ଦୁହେଁ କଥା ହେବା ସମୟରେ ଝିଅଙ୍କ ମା’ ଦେଖି ନରେଶଙ୍କୁ ଗାଳିଗୁଲଜ ସହ ମାରପିଟ ମଧ୍ୟ କରିଥିଲେ। ମା’ଙ୍କ ରାଗ ଦେଖି ଝିଅ ସେଠାରୁ ପଳାଇ ଯାଇ ଅନ୍ୟ ଜଣେ ବନ୍ଧୁଙ୍କ ଫୋନ୍ରୁ ନରେଶଙ୍କ ବିଷୟରେ ପଚାରୁଥିଲେ। ହେଲେ ସେ ଘରକୁ ଫେରି ନ ଥିବାରୁ ନାବାଳକଙ୍କ ପରିବାରଲୋକଙ୍କୁ ଯାହା ଘଟିଥିଲା ତାହା କହିଥିଲେ। ଏହାକୁ ନେଇ ନରେଶଙ୍କ ବାପା ଏପରିକି ଆଖପାଖ ବନ୍ଧୁବାନ୍ଧବଙ୍କ ଘର ସହ ଅନ୍ୟାନ୍ୟ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ପୁଅ ନରେଶଙ୍କ ସନ୍ଧାନ ମିଳିପାରି ନ ଥିଲା। ଶେଷରେ ସେ ଝିଅଙ୍କ ପରିବାରକୁ ଦାୟୀ କରି ଥୁଆମୂଳ ରାମପୁର ପୋଲିସରେ ଗୁରୁବାର ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ନିଖୋଜ ମାମଲା କେସ ନମ୍ବର ୯୮/୨୫ ରେ ରୁଜୁ ତଦନ୍ତ ଜାରି ରଖିଥିଲା।
ଶନିବାର ନିଖୋଜ ଥିବା ନରେଶଙ୍କ ମୃତଦେହ ବିରିକୋଟ – ବଲଙ୍ଗି ମଝି ରାସ୍ତା ନିକଟ ଜୁଆଡ ଖୋଲା ନାମକ ପାହାଡରେ ଥିବା ଏକ ବାହାଡା ଗଛରୁ ନିଜେ ପିନ୍ଧିଥିବା ଏକ ଧଳା ସାର୍ଟରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତଦେହକୁ ବିରିକୋଟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇବାରୁ ପରିବାରଲୋକେ ଥୁଆମୂଳ ରାମପୁର ଥାନାକୁ ଖବର ଦେଇଥିଲେ। ପୋଲିସ ଖବର ପାଇ ଏସ୍ଆଇ ରଶ୍ମିରଞ୍ଜନ ବାଗ ଏବଂ ଏଏସ୍ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ ଓ ପୋଲିସ କର୍ମଚାରୀଙ୍କ ସମେତ ମାଜିଷ୍ଟେଟ ସନାତନ ମହାରଣା ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସନ୍ଧ୍ୟା ହୋଇଥିବା ବେଳେ ପରିବାରଲୋକେ ହତ୍ୟା ଅଭିଯୋଗ ଆଣି ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ। ଏଥିଯୋଗୁ ଖବର ଲେଖାଯିବା ଯାଏ ମୃତଦେହ ଉଦ୍ଧାର କାର୍ଯ୍ୟ ହୋଇପାରି ନ ଥିବା ଜଣାପଡ଼ିଛି। ପୋଲିସ ତଦନ୍ତ ଜାରି ରଖିଛି।