ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ: ମନମୋହନ କହିଲେ…

ଭୁବନେଶ୍ୱର,୨।୩(ସୁନିତ୍‌ ମିଶ୍ର): ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାଜପା ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦଳ ପକ୍ଷରୁ ମୋଟ ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ୧୯୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ହେଲେ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ତାଲିକାରେ ଓଡ଼ିଶାର କାହାରି ନଁା ନାହିଁ। ଅନେକ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ନେତୃବୃନ୍ଦ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨ କିମ୍ବା ୩ ଜଣଙ୍କ ନାମ ଘୋଷଣା କରାଯାଇପାରେ ବୋଲି କହୁଥିଲେ। ସେମିତି କିଛି ହେଲାନାହିଁ। ଶେଷରେ ଗଣମାଧ୍ୟମ ଆଗରେ ଏହି ପ୍ରସଙ୍ଗରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ମନମୋହନ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆସନ୍ତା ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ। ଏହାପରେ ପ୍ରାର୍ଥୀ ତାଲିକା ଆସିବ।

ତେବେ କିଛିଦିନ ହେଲା ଭାଜପାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଜୁଏଲ ଓରାମ ଏବଂ ଭୁବନେଶ୍ୱରରୁ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ଦଳ ଆଗୁଆ ଘୋଷଣା କରିଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସେପରି କିଛି ନ ହେବାକୁ ନେଇ ମଧ୍ୟ ଭିନ୍ନ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Share
Tags: bjpodisha