ଭୁବନେଶ୍ୱର,୧୮ା୧୨: ହାଇଦ୍ରାବାଦରେ ଆୟୋଜିତ ଦୁଇ ଦିନିଆ ‘ଓଡ଼ିଶା ଇନଭେଷ୍ଟର ମିଟ୍’ର ପ୍ରଥମ ଦିନରେ ରାଜ୍ୟ ପାଇଁ ପୁଞ୍ଜିନିବେଶର ସୁଅ ଛୁଟିଛି। ଏହି ଅବସରରେ ଓଡ଼ିଶା ପ୍ରାୟ ୧୯,୫୦୦ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିବା ବେଳେ ଏହାଦ୍ୱାରା ପ୍ରାୟ ୭,୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି।
ଏହା ସହିତ ପ୍ରଥମ ଦିନରେ ୭ଟି ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଛି, ଯେଉଁଥିରେ ୧୯,୨୦୦ କୋଟି ଟଙ୍କାର ନିବେଶ ସାମିଲ ଅଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ପ୍ରାୟ ୧୨,୭୦୦ ଲୋକଙ୍କୁ କର୍ମସଂସ୍ଥାନ ମିଳିବ ବୋଲି ଆଶା କରାଯାଉଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ରୋଡ୍ ଶୋ’ରେ ଯୋଗଦେଇ ପ୍ରମୁଖ ଶିଳ୍ପ ସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବିଶେଷ କରି, ଫାର୍ମାସ୍ୟୁଟିକାଲ୍ସ ଓ ମେଡିକାଲ ଉପକରଣ, ଗ୍ରୀନ ଏନର୍ଜି ଓ ଟେକ୍ସଟାଇଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଓ ଅଟୋମୋବାଇଲ୍ ପାର୍ଟସ୍, ଇଞ୍ଜିନିୟରିଂ ସାମଗ୍ରୀ କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀଗୁଡ଼ିକ ସହ ଓ୍ବାନ୍-ଟୁ-ଓ୍ବାନ୍ ଆଲୋଚନା କରିଛନ୍ତି।
ଏହି ସମ୍ମିଳନୀରେ ସରକାର ଓ ଶିଳ୍ପ ସଂସ୍ଥା ମଧ୍ୟରେ ୧୫ଟି ଗୁରୁତ୍ୱପୂର୍ଣ୍ଣ (G2B) ବୈଠକ ହୋଇଛି। ଏଥିରେ ଇଣ୍ଡୋରାମା ଇଣ୍ଡଷ୍ଟ୍ରିଜ୍, ଜିନ୍ଦଲ ପଲି ଫିଲ୍ମସ, ଏବିଆଇ ସୋୱାଟେକ୍ ଏବଂ ମାରୁତି ଭଳି ବଡ଼ ବଡ଼ କମ୍ପାନୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିଳ୍ପପତିଙ୍କ ଏହି ଉତ୍ସାହଜନକ ପ୍ରତିକ୍ରିୟା ଓଡ଼ିଶାର ଶିଳ୍ପ ନୀତି ଉପରେ ବିଶ୍ୱାସକୁ ଦର୍ଶାଉଛି। ରାଜ୍ୟରେ ଏକ ସୁଦୃଢ଼ ପରିବେଶ ଏବଂ ନୂତନ ଫାର୍ମାସ୍ୟୁଟିକାଲ୍ ନୀତି ମାଧ୍ୟମରେ ନିବେଶକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି।
ଶୁକ୍ରବାର ମଧ୍ୟ ଏହି ନିବେଶକ ସମ୍ମିଳନୀ ଜାରି ରହିବ, ଯେଉଁଥିରେ ଆହୁରି ଅନେକ ବଡ଼ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି।