ଭୁବନେଶ୍ୱର, ୧୦।୧୨ (ବନ୍ଦନା ସେଠୀ)- ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ଓଡ଼ିଶା। ଶୀତର ଲହରୀ ଜାରି ରହିଥିବାବେଳେ ଆହୁରି ୩ଦିନ ଯାଏଁ ଶୀତ କଲବଲ କରିବ। ଡିସେମ୍ବର ୧୨ ଯାଏଁ ପ୍ରବଳ ଶୀତର ସମ୍ଭାବନା ଥିବାବେଳେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୀତ ଲହରୀ ବା କୋଲ୍ଡ ୱେଭ୍ ଜାରି କରାଯାଇଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ। ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ଝାରସୁଗୁଡା, ଅନୁଗୁଳ, ସୁନ୍ଦରଗଡ଼, ସୋନପୁର, କଳାହାଣ୍ଡି, କନ୍ଧମାଳ ଏବଂ କୋରାପୁଟ ୭ଟି ଜିଲାକୁ କୋଲ୍ଡ ଓ୍ବେଭ୍ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆସନ୍ତା ୭ ଦିନ ଦିନ ଯାଏଁ ପାଗ ଶୁଖିଲା ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ରାଜ୍ୟରେ ଗତ ୨୪ଘଣ୍ଟାରେ ହେଲା ପାଗ ଶଖିଲା ରହିଛି। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି ରହିବ। ସେହିପରି ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେଉଥିବାବେଳେ ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଏଭଳି ପ୍ରଭାବ ରହିବ। ଆସନ୍ତା ୨୪ଘଣ୍ଟା ପାଇଁ ସୁନ୍ଦରଗଡ଼, କନ୍ଧମାଳ ଏବଂ ଝାରସୁଗୁଡାରେ ଘନ କୁହୁଡି ଦୃଶ୍ୟମାନ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ୧୦ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରହିଥିବାବେଳେ ସିମିଳିଗୁଡାରେ ୬.୨ଡିଗ୍ରୀ, ଫୁଲବାଣୀରେ ୬.୮ଡିଗ୍ରୀ, ଚିପିଲିମାରେ ୭.୩ଡିଗ୍ରୀ, ରାଉରକେଲାରେ ୭.୬ଡିଗ୍ରୀ, ଦାରିଙ୍ଗିବାଡି ଏବଂ ଝାରସୁଗୁଡାରେ ୮ଡିଗ୍ରୀ, ଅନୁଗୁଳ ଏବଂ ଭବାନୀପାଟଣାରେ ୯ଡିଗ୍ରୀ ଏବଂ କିରେଇରେ ୯.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ ୧୩.୭ଡିଗ୍ରୀ ଏବଂ କଟକରେ ୧୨.୬ଡିଗ୍ରୀ ତାପମାତ୍ରା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।