ଭୁବନେଶ୍ୱର,୩ା୯(ବନ୍ଦନା ସେଠୀ):ଇଣ୍ଟରନ୍ୟାଶନାଲ୍ ଫୋରମ୍ ଫର୍ ଏନ୍ଭାଇରନ୍ମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି (ଆଇଫରେଷ୍ଟ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଇଣ୍ଟିଗ୍ରେଟେଡ୍ ହିଟ୍ ଆଣ୍ଡ୍ କୁଲିଂ ଆକ୍ସନ ପ୍ଲାନ୍ (ଆଇଏଚ୍ସିଏପି) ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଙ୍ଗାପୁର-ଇଇଟିଏଚ୍ କେନ୍ଦ୍ର (ଏସ୍ଇସି) ସହଯୋଗରେ ଅନୁଷ୍ଠାନ ଦ୍ୱାରା ବିକଶିତ ‘ଭୁବନେଶ୍ୱର ପାଇଁ ସମନ୍ବିତ ଗରମ ଏବଂ ଶୀତଳୀକରଣ କାର୍ଯ୍ୟ ଯୋଜନା ରିପୋର୍ଟ’ ଉନ୍ମୋଚିତ ହୋଇଯାଇଛି। ଏହା ବର୍ଦ୍ଧିତ ଚାପ ଏବଂ ଶୀତଳୀକରଣ ଚାହିଦାକୁ ସମାଧାନ କରିବା ଦିଗରେ ଏକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ମେୟର ସୁଲୋଚନା ଦାସ ଏବଂ ଅନୁଷ୍ଠାନର ସିଇଓ ଡ. ଚନ୍ଦ୍ର ଭୂଷଣ ଉନ୍ମୋଚନ କରିଥିଲେ। ମେୟର ଦାସ କହିଲେ, ଭୁବନେଶ୍ୱର ସର୍ବଦା ଅଗ୍ରଗାମୀ ସହରୀ ସମାଧାନକୁ ଗ୍ରହଣ କରିଛି। ଏହି ଜଳବାୟୁ-ସ୍ମାର୍ଟ ସହରରେ ଆଇଏଚ୍ସିଏପି ଆମର ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି କହିଥିଲେ। ଡ. ଚନ୍ଦ୍ର ଭୂଷଣ କହିଲେ, ଉତ୍ତାପ ଚାପ ଏବେ ଭାରତର ସହରଗୁଡ଼ିକ ପାଇଁ ସବୁଠାରୁ ବଡ଼ ଆହ୍ବାନ। ସହରଗୁଡ଼ିକର ତାପମାତ୍ରା ବୃଦ୍ଧି, ଶୀତଳ ଚାହିଦା ବୃଦ୍ଧି ଏବଂ ଶକ୍ତି ବ୍ୟବହାର ଓ ନିର୍ଗମନ ବୃଦ୍ଧି କରିବା ଚକ୍ରକୁ ପ୍ରତିହତ କରିବା ପାଇଁ ଆଇଏଚ୍ସିଏପି ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।
ଅଧିବେଶନରେ ‘ନାଗରିକ ସମାଜର ଭୂମିକା’ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ଯୋଗଦେଇ କହିଲେ, ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ବିଷୟରେ ଅବଗତ ନ ଥିବା ସମୟରେ ଓଡ଼ିଶା ଏକମାତ୍ର ରାଜ୍ୟ, ଯେଉଁଠାରେ ଆମେ ଜଳବାୟୁ ପରିବର୍ତ୍ତନକୁ ବୁଝିସାରିଥିଲୁ। ରାଜ୍ୟବାସୀ ବହୁ ଆଗରୁ ଘୂର୍ଣ୍ଣିବାତ୍ୟା, ମରୁଡ଼ି, ଦୁର୍ଭିକ୍ଷ ଏବଂ ଗମ୍ଭୀର ଜଳବାୟୁ ପରିସ୍ଥିତି ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆମେ ପରିବର୍ତ୍ତନ ଦେଖୁଛୁ ଏବଂ ଅନୁଭବ କରୁଛୁ। ମାତ୍ର ଦୁର୍ଭାଗ୍ୟର କଥା ହେଉଛି, ଆମେ ଏଥିରେ ଅଭ୍ୟସ୍ତ ହୋଇଯାଉଛୁ। ତେବେ ଆୟୋଜକଙ୍କ ପକ୍ଷରୁ ଭୁବନେଶ୍ୱରରେ କରାଯାଇଥିବା ଗବେଷଣା, ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଏବଂ ନୂତନ ଚିନ୍ତାଧାରାକୁ ତଥାଗତ ପ୍ରଶଂସା କରିଥିଲେ।

