ଭୁବନେଶ୍ୱରରେ ୩୦ ଜିଲା ପାଇଁ ପୃଥକ ଅତିଥି ଭବନ ନିର୍ମାଣ କରିବେ ସରକାର, ଉପକୃତ ହେବେ ଲୋକେ

ଭୁବନେଶ୍ୱର, ୮ା୬: ଓଡ଼ିଶା ରାଜଧାନୀକୁ ବିଭିନ୍ନ ଉଦ୍ଦେଶ୍ୟରେ ଆସୁଥିବା ଲୋକଙ୍କ ପାଇଁ ସୁଲଭ ବାସସ୍ଥାନ ଯୋଗାଇବା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ୩୦ଟି ଅତିଥି ଭବନ ନିର୍ମାଣ କରିବ। ରବିବାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହା ପ୍ରକାଶ କରିଛନ୍ତି।

ରାଜ୍ୟ ସରକାର ସମସ୍ତ ୩୦ଟି ଜିଲାର ଲୋକଙ୍କ ପାଇଁ ପୃଥକ ଅତିଥି ଭବନ ନିର୍ମାଣ କରିବେ। ପ୍ରତ୍ୟେକ ଅତିଥି ଭବନରେ ୧୦୦ଟି କୋଠରୀ ରହିବ, ଯାହା ସ୍ୱାସ୍ଥ୍ୟ ସେବା କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ରାଜଧାନୀକୁ ଆସୁଥିବା ଲୋକଙ୍କ ପାଇଁ ଉଦ୍ଦିଷ୍ଟ ହେବ, ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

“ଏହି ଲୋକମାନେ ପ୍ରାୟତଃ ରାଜଧାନୀରେ ସ୍ୱଳ୍ପ ସମୟ ରହିବା ପାଇଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କେତେକ ସମୟରେ ସେମାନେ ହୋଟେଲ ଓ ଲଜରେ ବାସସ୍ଥାନ ପାଇଁ ବହୁତ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହୁଅନ୍ତି। ୩୦ଟି ଅତିଥି ଭବନ ନିର୍ମାଣ ସହିତ ଏହି ସମସ୍ୟାଗୁଡ଼ିକର ସମାଧାନ ହେବ,” ସେ କହିଛନ୍ତି।

ରାଜ୍ୟ ସରକାର ପ୍ରତ୍ୟେକ ଜିଲା ପାଇଁ ଏକ ଅତିଥି ଭବନ ନିର୍ମାଣ କରିବ। ପ୍ରତ୍ୟେକ ଅତିଥି ଭବନର ନାମ ଏକ ଜିଲ୍ଲାର ନାମାନୁଷାରେ ରଖାଯିବ, ବୋଲି ପୂଜାରୀ ପ୍ରକାଶ କରିଛନ୍ତି।

“ଏହି ଅତିଥି ଭବନଗୁଡ଼ିକରେ ମୋଟ ୩,୦୦୦ କୋଠରୀ ରହିବ, ଯାହା ରାଜ୍ୟର ଦୂରଦୂରାନ୍ତରୁ ବିଭିନ୍ନ ସେବା ଗ୍ରହଣ କରିବା ପାଇଁ ରାଜଧାନୀକୁ ଆସୁଥିବା ଲୋକଙ୍କ ପାଇଁ ଉପଲବ୍ଧ ହେବ,” ସେ କହିଛନ୍ତି।