୧୪ ଲକ୍ଷର ଗାଡ଼ିରେ ୧୦ ଲକ୍ଷ ଟଙ୍କା ମୋଡିଫିକେସନ ଖର୍ଚ୍ଚ, ବ୍ୟାକଫୁଟରେ ସରକାର

ଭୁବନେଶ୍ୱର,୧୮ା୧୨: ଓଡ଼ିଶା ବନ ବିଭାଗ ପକ୍ଷରୁ କିଣାଯାଇଥିବା ମହିନ୍ଦ୍ରା ‘ଥର୍’ ଗାଡ଼ିର ମୋଡିଫିକେସନ ଖର୍ଚ୍ଚକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ୫୧ଟି ଥର୍ ଗାଡ଼ି କିଣା ଓ ସେଥିରେ ହୋଇଥିବା ମୋଡିଫିକେସନ ଖର୍ଚ୍ଚକୁ ନେଇ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ‘ଥର୍’ ଗାଡ଼ିର ଟପ୍ ମଡେଲର ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହୋଇଥିବା ବେଳେ ବନ ବିଭାଗ ୧୪ ଲକ୍ଷ ଟଙ୍କାର ଗାଡ଼ି କିଣିଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ପ୍ରତି ଗାଡ଼ି ପଛରେ ପ୍ରାୟ ୧୦ ଲକ୍ଷ ଟଙ୍କାର ମୋଡିଫିକେସନ ବା ପରିବର୍ତ୍ତନ କରାଯାଇଛି। ଗାଡ଼ିରେ ଏପରି କି ପରିବର୍ତ୍ତନ ହେଲା ଯେ ସେଥିପାଇଁ ଏତେ ବଡ଼ ପରିମାଣର ଅର୍ଥ ବ୍ୟୟ ହେଲା, ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବୁଧବାର ବିଭାଗୀୟ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି ଯେ, “ଆବଶ୍ୟକତା ଅନୁଯାୟୀ ମୋଡିଫିକେସନ ହୋଇଥାଇପାରେ, କିନ୍ତୁ ଯଦି ଏହା ସୀମା ବାହାରକୁ ଯାଇଥାଏ କିମ୍ବା ଖର୍ଚ୍ଚରେ ଅନିୟମିତତା ହୋଇଥାଏ, ତେବେ ଉଚିତ୍ ତଦନ୍ତ କରାଯାଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” ଗାଡ଼ିଗୁଡ଼ିକ ବର୍ତ୍ତମାନ ପିସିସିଏଫ୍ (PCCF)ଙ୍କ ଅଧୀନରେ ରହିଥିବାରୁ ଏହାର ସବିଶେଷ ଯାଞ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଏହି ମଡିଫିକେସନ ପାଇଁ ପରିବହନ ବିଭାଗର ଅନୁମତି ମିଳିଛି କି ନାହିଁ, ସେ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ସାଧାରଣ ଜନତା ନିଜ ଗାଡ଼ି ମୋଡିଫାଇ କଲେ ପରିବହନ ବିଭାଗ କଡ଼ା ନିୟମ ଲଗାଉଥିବା ବେଳେ ବନ ବିଭାଗକୁ ଏତେ ସଂଖ୍ୟକ ଗାଡ଼ି ପାଇଁ କେଉଁ ଅଧିକାରୀ ଅନୁମତି ଦେଇଛନ୍ତି, ତାହା ଏବେ ତଦନ୍ତ ସାପେକ୍ଷ।

ଉଲ୍ଲେଖଯୋଗ୍ୟ ଯେ, ବନ୍ୟଜନ୍ତୁ ସୁରକ୍ଷା ଓ ଉଦ୍ଧାର କାର୍ଯ୍ୟ ପାଇଁ ଏହି ଗାଡ଼ିଗୁଡ଼ିକ କିଣାଯାଇଥିଲେ ହେଁ, ଜଙ୍ଗଲ ଭିତରେ ଏହାର ଉପାଦେୟତା କମ୍ ଥିବା ଏବଂ ବିଭାଗୀୟ ଅଧିକାରୀମାନେ ଏହାକୁ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। କେବଳ ଏହି ୫୧ଟି ଥର୍ ନୁହେଁ, ପୂର୍ବରୁ କିଣାଯାଇଥିବା ୮୯ଟି ‘ଇସୁଚୁ’ ଓ ‘ଯୋଦ୍ଧା’ ଗାଡ଼ି କିଣାରେ ମଧ୍ୟ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି।

Share