ଚାଷରେ କ୍ଷତି ସହ ଋଣ ଭାର: ବିଷ ପିଇ ଜୀବନ ହାରିଲେ ଚାଷୀ, ଥାନାରେ ଅଭିଯୋଗ…

ଭବାନୀପାଟଣା/ଟିଟିଲାଗଡ଼, ୧୩।୮(ଉତ୍ତମ କୁମାର ଦାଶ/ଶରତ ଚନ୍ଦ୍ର ମିଶ୍ର)-ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ କଣ୍ଡରା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାଷ କ୍ଷତି ଓ ଗ୍ରୁପ ଋଣ ଶୁଝି ନ ପାରି ଜଣେ ଅଭାବଗ୍ରସ୍ତ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାମ ଦୁର୍ଗା ଚରଣ ଭୋଇ(୪୭) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ଦୁର୍ଗାଙ୍କ ଚାଷ କ୍ଷତି ହେବା ସହ ଗ୍ରୁପ ଋଣ ଟଙ୍କା ସୁଝି ନ ପାରିବାରୁ ସେ ମାନସିକ ଚାପରେ ଥିଲେ। ବୁଧବାର ପୂର୍ବାହ୍ନରେ ସେ ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ସିନ୍ଧେକେଲା ଓ ପରେ ଟିଟଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ମଧ୍ୟ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ମୃତକଙ୍କ ଭାଇ ଭାସ୍କର ଭୋଇ ଏ ନେଇଁ ଭବାନୀପାଟଣା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି। ଏଥିରେ ତାଙ୍କ ବଡ଼ ଭାଇ ଚାଷ କ୍ଷତି ଓ ଗ୍ରୁପ ଟଙ୍କା ସୁଝି ନ ପାରିବାରୁ ସେ ମାନସିକ ଚାପରେ ଆସି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଗୁରୁବାର ସକାଳରେ ମୃତ ଚାଷୀଙ୍କ ବ୍ୟବଚ୍ଛେଦ କରାଯିବ ବୋଲି ଠାରୁ ଜଣାପଡିଛି। ମୃତ ଚାଷୀଙ୍କ ୧୧ ବର୍ଷର ପୁଅ ଓ ୬ ବର୍ଷର କନ୍ୟା ସନ୍ତାନ ଥିବା ଜଣାପଡିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି।

Share