ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସ୍ଥାନୀୟ ଜିଲା ସଂସ୍କୃତି ଭବନରେ ଚାଲିଥିବା ସରକାରୀ ଓଡ଼ିଶା ଦିବସ ସମାରୋହକୁ କୋଶଲ ସମର୍ଥକମାନେ ତୀବ୍ର ବିରୋଧ କରିଛନ୍ତି।
ସୂଚନା ଅନୁଯାୟୀ, ସଂସ୍କୃତି ଭବନରେ ସମାରୋହ ଚାଲିଥିବା ସମୟରେ କୋଶଲ ରାଜ୍ୟ ମୁକ୍ତିମୋର୍ଚ୍ଚାର ସମର୍ଥକ ହଠାତ ସଭାଗୃହ ମଧ୍ୟକୁ ପଶି ଆସିଥିଲେ। ସେମାନେ ଓଡ଼ିଶା ଦିବସ ବିରୋଧରେ ଜୋରଦାର ନାରାବାଜି କରିବା ସହ ତୁରନ୍ତ ଏହି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଦାବି କରିଥିଲେ। ସମର୍ଥକମାନେ ପଶ୍ଚିମ ଓଡ଼ିଶାକୁ ଏକ ସ୍ବତନ୍ତ୍ର ’କୋଶଲ ରାଜ୍ୟ’ ଗଠନ କରିବା ନେଇ ନିଜର ଜୋରଦାର ସ୍ବର ଉତ୍ତୋଳନ କରିଥିଲେ।
ସମାରୋହରେ ହଙ୍ଗାମା ବଢ଼ିବାରୁ ସେଠାରେ ମୁତୟନ ଥିବା ପୋଲିସ ବାହିନୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କୁ ପୋଲିସ କାବୁ କରି ସେଠାରୁ ବାହାର କରିନେଇଥିଲା। ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର ଟାଉନ ପୋଲିସ ୮ ଜଣ କୋଶଲ ସମର୍ଥକଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।
ପଶ୍ଚିମ ଓଡ଼ିଶାରେ ଦୀର୍ଘ ଦିନ ଧରି ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଚାଲିଆସୁଛି। ଆଜିର ଏହି ଘଟଣା ପରେ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।