ଭୁବନେଶ୍ୱର,୨୧।୨: ଓଡ଼ିଶା ସରକାର ଆଜି ୩,୧୦,୦୦୦ କୋଟି ଟଙ୍କାର ଐତିହାସିକ ବଜେଟ୍ ଆଗତ କରିଛନ୍ତି ।ଚଳିତ ବର୍ଷ ବଜେଟରେ ଓଡିଶାର ବିଭିନ୍ନ କ୍ଷେତ୍ର ପାଇଁ ସରକାର ହାତ ଖୋଲି ଦେଇଛନ୍ତି । ମୋଟ୍ ୧୬ଟି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଚଳିତ ବର୍ଷ ବଜେଟରେ ପୁରୀର ବିଭିନ୍ନ ଐତିହ୍ୟ ସ୍ଥାନର ପୁନରୁଦ୍ଧାର ହେବାର ଯୋଜନା ରହିଛି । ଯେଉଁଠି ପୁରୀରେ ଥିବା ବିଭିନ୍ନ ଛୋଟବଡ ପୁରାତନ ଐତିହ୍ୟ ସମ୍ପନ୍ନ କୀର୍ତ୍ତୀରାଜି ଗୁଡିକୁ ପୁନରଦ୍ଧାର କରାଯିବ । ଏହାଛଡା ଶ୍ରୀ ମନ୍ଦିରକୁ ଦାନ ଦବାକୁ ‘ସମର୍ପଣ’ ଆପ୍ର ଶୁଭାରମ୍ଭ କରାଯିବ । ଯାହା ଦ୍ବାରା ଜଗନ୍ନାଥ ମନ୍ଦିରକୁ ଅନଲାଇନ ଯୋଗେ ଭକ୍ତମାନେ ଦାନ କରିପାରିବେ । ପୁରୀ ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ହେବା ସହ ପୁରୀରେ ଜଗନ୍ନାଥ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାପନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଏହାଛଡା ପ୍ରତି ଗ୍ରାମାଞ୍ଚଳରେ ଥିବା ଅଙ୍ଗନବାଡି ପାଇଁ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାର ଶୁଭାରମ୍ଭ କରାଯାଇଛି । ଯେଉଁଥିପାଇଁ ମୋଟ୍ ୬୩୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହାଛଡା କୃଷକ ମାନଙ୍କ ସହାୟତା ପାଇଁ ୧୦୦ଗୋଟି ଆଦର୍ଶ ମଣ୍ଡି ଗଠନ କରାଯିବ । ଯେଉଁଥିପାଇଁ ମୋଟ୍ ୧୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି ।
ଦୈନିକ ରୋଜଗାର ସୁନିଶ୍ଚିନ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ VB-G RAM G ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ମୋଟ୍ ୫୫୭୫ କୋଟିର ବ୍ୟୟ ବରାଦ କରିଛନ୍ତି । ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ପାଇଁ ମଧ୍ୟ ବ୍ୟୟ ବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ଚଳିତ ବର୍ଷ ମୋଟ୍ ୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଓଡିଶାରେ ବିଶ୍ବର ସର୍ବବୃହତ ଶସ୍ୟ ଭଣ୍ଡାର ସ୍ଥାପନ ହେବାକୁ ଯାଉଛି । ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହ ଏଥିପାଇଁ ମୋଟ୍ ୨୪୦ କୋଟି ଟଙ୍କାର ବ୍ୟୟ ବରାଦ ରଖିଛନ୍ତି । ସେହିପରି ବିରଳ ମୃତ୍ତିକା କରିଡର ପାଇଁ ମଧ୍ୟ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ବର୍ତ୍ତମାନ ବଢୁଥିବା AI ଶକ୍ତିକୁ ଦୃଷ୍ଟିରେ ରଖି ଓଡିଶା ଏହା ଉପରେ ମଧ୍ୟ କାର୍ଯ୍ୟ ଆରମ୍ଭ କରିବ । ଯେଉଁଥିପାଇଁ ରାଜ୍ୟ AI ମିଶନ ନିମନ୍ତେ ମୋଟ୍ ୨୩ କୋଟିର ବ୍ୟୟ ବରାଦ କରାଯାଇଛି । ଏହାଛଡା ପର୍ଯ୍ୟଟନ ଜମି ବ୍ୟାଙ୍କ ପାଇଁ ୧୫୦ କୋଟି ଓ ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କାର ବରାଦ ହୋଇଛି । ରାଜ୍ୟର ଯୁବ ପ୍ରତିଭା ପାଇଁ ଫିଟ୍ ଓଡ଼ିଶା ମିଶନ ପାଇଁ ୧୦ କୋଟିର ବ୍ୟୟ ବରାଦ ରହିଛି ।