ତାରାତାରିଣୀ ପୀଠରେ ବାସନ୍ତିକ ନବରାତ୍ରୀ ଉତ୍ସବ ଆରମ୍ଭ: ବେଦମନ୍ତ୍ରରେ ପ୍ରକମ୍ପିତ ରତ୍ନଗିରି ପାହାଡ଼

ପୁରୁଷୋତ୍ତମପୁର,୧୯।୩(ସବିତା ମିଶ୍ର): ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତଥା ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଗୁରୁବାର ରାତିରୁ ମହାସମାରୋହରେ ଆରମ୍ଭ ହୋଇଛି ବାସନ୍ତିକ ନବରାତ୍ରୀ ପର୍ବ। ଚୈତ୍ର ଯାତ୍ରା ଚାଲିଥିବା ସମୟରେ ଏହି ନବରାତ୍ରୀ ପୂଜା ଭକ୍ତଙ୍କ ମଧ୍ୟରେ ଅହେତୁକ ଉତ୍ସାହ ସୃଷ୍ଟି କରିଛି, ଯାହାଫଳରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦ୍ୱିଗୁଣିତ ହୋଇଛି।
ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପର୍ବ ପରିଚାଳିତ ହେଉଛି। ପ୍ରତାପୁର ଗ୍ରାମର ମୁଖ୍ୟ ପୁରୋହିତ ପଣ୍ଡିତ ସିମାଞ୍ଚଳ ଦାଶ ଶର୍ମା ଶାସ୍ତ୍ରୀୟ ବିଧି ଅନୁସାରେ ପୂଜାପାଠ କରୁଛନ୍ତି। ଚୈତ୍ର ପ୍ରତିପଦା ଠାରୁ ଶ୍ରୀରାମ ନବମୀ ପର୍ଯ୍ୟନ୍ତ ନଅ ଦିନ ବ୍ୟାପୀ ଏହି ପୂଜା ଚାଲିବ। ପ୍ରତିଦିନ ମା’ଙ୍କର ଷୋଡ଼ଶ ଉପଚାର ପୂଜା, ଚଣ୍ଡୀପାଠ, ହୋମ ଏବଂ ସ୍ବତନ୍ତ୍ର ଗୁପ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି। ସେବାୟତ ସଂଘ ସଭାପତି ତପନ କୁମାର ରଣା ଏହି ପୂଜାରେ କର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ସେବାୟତ ବାପୁଜୀ ରଣା ଓ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି।
ବାସନ୍ତିକ ନବରାତ୍ରୀର ଏକ ବିଶେଷ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ମହତ୍ତ୍ୱ ରହିଛି। ମାନ୍ୟତା ଅନୁଯାୟୀ, ଗ୍ରୀଷ୍ମ ଋତୁର ଆଗମନ ସମୟରେ ପରିବେଶରେ ବିଭିନ୍ନ ଜୀବାଣୁ ଓ ରୋଗବ୍ୟାଧିର ପ୍ରାଦୁର୍ଭାବ ବଢ଼ିଥାଏ। ଧରାପୃଷ୍ଠକୁ ଏହି ସଂକ୍ରାମକ ରୋଗ ଦାଉରୁ ରକ୍ଷା କରିବା ଏବଂ ଜଗତର କଲ୍ୟାଣ ନିମନ୍ତେ ମା’ଙ୍କର ଏହି ବିଶେଷ ପୂଜା କରାଯାଇଥାଏ। ବ୍ରାହ୍ମଣଙ୍କ ବେଦମନ୍ତ୍ର ଧ୍ୱନିରେ ସମଗ୍ର ରତ୍ନଗିରି ପାହାଡ଼ ଏବେ ଆଧ୍ୟାତ୍ମିକମୟ ହୋଇଉଠିଛି। ମା’ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି।
Dharitri – Odisha’s No.1 Odia Daily