ବରଗଡ଼ରେ ଅଭିନବ ପ୍ରତିବାଦ: କାର୍ଡବୋର୍ଡ ଧରି ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ଛାତ୍ର କଂଗ୍ରେସ

ବରଗଡ଼, ୧୦।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ କାର୍ଡବୋର୍ଡ (ବୁଢାପଟ୍ଟା)ରେ ଚିକିତ୍ସା ଚର୍ଚ୍ଚାର ବିଷୟ ହୋଇଛି। ଏହାର ପ୍ରତିବାଦରେ ରବିବାର ଜିଲା ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏବଂ କର୍ମୀବୃନ୍ଦ କାର୍ଡବୋର୍ଡ ଧରି ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରି ଡାକ୍ତରଙ୍କୁ ସମସ୍ୟା ଜଣାଇବା ସହ ଡ୍ରେସିଂଙ୍ଗରୁମରେ କାର୍ଡବୋର୍ଡ ରଖିଥିଲେ। ବରଗଡ଼ରେ ଜିଲା ମୁଖ୍ୟ ଡାକ୍ତରଖାନାରେ ପ୍ଳାଷ୍ଟର ଅଫ ପ୍ୟାରିସ୍‌ ବଦଳରେ କାର୍ଡବୋର୍ଡରେ ହାତ, ଗୋଡ଼ ଭାଙ୍ଗିଥିବା ରୋଗୀଙ୍କ ଚିକିତ୍ସା ନେଇ ଭିଡିଓ, ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଏଭଳି ଏକ ସମ୍ବେଦନଶୀଳ ଘଟଣା ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅଜଣା ଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଘଟଣା ଉପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ନ ରଖିବା ଆହୁରି ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦଙ୍କ ନେତୃତ୍ୱରେ ଅନେକ କର୍ମୀ ଏହି ପ୍ରତିବାଦରେ ସାମିଲ ଥିଲେ।

Share