ଛତ୍ରପୁରରେ ବନ୍ଦର ପ୍ରଭାବ: ଜାତୀୟ ରାଜପଥ ଅବରୋଧ, ପୂର୍ବତନ ବିଧାୟକ ଗିରଫ

ଛତ୍ରପୁର,୧୨।୨(ଦିଲ୍ଲୀପ ସାମଲ) : ନୂଆ ଶ୍ରମ କୋଡ଼ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଫଳରେ ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମିଳିତ ଆହ୍ବାନ କ୍ରମେ ଗୁରୁବାର ସର୍ବ ଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି । ଏନେଇ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ଠାରେ ଏ ଆଇ ଟିୟୁସି ସମେତ ବିଭିନ୍ନ ଟ୍ରେଡ଼ ୟୁନିୟନ(ଶ୍ରମିକ ସଂଗଠନ)ଗୁଡ଼ିକ ପକ୍ଷରୁ ସ୍ଥାନେ ସ୍ଥାନେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଆନ୍ଦୋଳନକାରୀମାନେ ପହଞ୍ଚି ଧର୍ମଘଟରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି । ଏହା ସହିତ ପିକେଟିଂ ମଧ୍ୟ କରିଛନ୍ତି ।
ଏପରିକି ହାତରେ ପତାକା, ପୋଷ୍ଟର ବ୍ୟାନର ଆଦି ଧରି ମନରେଗା ବଞ୍ଚାଓ, ଜି-ରାମ-ଜି ଆଇନକୁ ପ୍ରତ୍ୟାହାର, ଶ୍ରମିକ ବିରୋଧୀ ଶ୍ରମ କୋଡ଼ ବାତିଲ, ବିଦ୍ୟୁତ ବିଲ ସଂଶୋଧନ, କୃଷକ ବିରୋଧୀ ବିଲ-୨୦୨୫କୁ ବାତିଲ ଆଦି ଶ୍ରମିକ ଓ କୃଷକ ତଥା ଜନ ବିରୋଧୀ ଆଇନ ବାତିଲ ନାରା ଦେଇ ଆନ୍ଦୋଳନକାରୀମାନେ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କଲେଜ ଛକ ନିକଟ ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ। ଏନେଇ ଛତ୍ରପୁର ଥାନା ପୋଲିସ ପକ୍ଷରୁ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଓ ଏ ଆଇ ଟିୟୁସି ନେତା ନୀଳକଣ୍ଠ ଦାଶ ଗିରଫକୁ କରିଛନ୍ତି । ଏହା ସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଭିନ୍ନ ଛକରେ ପୋଲିସ ଅଧିକାରୀଙ୍କ ସହ ପୋଲିସ କର୍ମଚାରୀମାନେ ମୁତୟନ ହୋଇଥିବା ଦେଖାଯାଇଛି ।

 

Dharitri – Odisha’s No.1 Odia Daily

Share