ଭୁବନେଶ୍ୱର,୨୨ା୧୦: ଏସିଆନ ପାରା ଗେମ୍ସରେ ଓଡ଼ିଶାର ପାରା ଆଥ୍ଲେଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଛି। ବୁଧବାର ପାରା କମ୍ପାଉଣ୍ଡ ମହିଳା ଡବଲ୍ସ ଆର୍ଚେରୀରେ ରୌପ୍ୟ ପଦକ ଜିତିଥିବା ବେଳେ ଗୁରୁବାର ଜୟନ୍ତୀ ବେହେରା ମହିଳା ୪୦୦ ମି. ଟି୪୭ ଇଭେଣ୍ଟରେ ସମାନ ସଫଳତା ହାସଲ କରିଛନ୍ତି। ସେହିଭଳି ୬ ଥରର ବିଶ୍ୱ ପାରା ଚାମ୍ପିୟନ ତଥା ଟୋକିଓ ପାରାଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜୟୀ ଓଡ଼ିଶାର ପ୍ରମୋଦ ଭଗତ ଦୁଇଟି ପଦକ ପକ୍କା କରିଛନ୍ତି। ସେ ମିକ୍ସଡ୍ ଡବଲ୍ସ ଏସ୍ଏଲ୍୩-ଏସ୍ୟୁ୫ରେ ବ୍ରୋଞ୍ଜ ପଦକ ଜିତିବା ସହିତ ସିଙ୍ଗଲ୍ସ ଏସ୍ଏଲ୍୩ ଫାଇନାଲରେ ପ୍ରବେଶ କରି ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି।
ଅନୁଷ୍ଠିତ ମହିଳା ୪୦୦ ମି. ଟି୪୭ ଇଭେଣ୍ଟରେ ଭାରତର ଅଞ୍ଜନାବେନ ବାମ୍ବାଡିଆ ୫୯.୯୬ ସେକେଣ୍ଡ ଟାଇମିଂ ସହ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଜୟନ୍ତୀ ୧:୦୦.୬୫ ସେ. ଟାଇମିଂ ସହ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାସଲ କରିଛନ୍ତି। ବ୍ୟାଡ୍ମିଣ୍ଟନର ମିକ୍ସଡ୍ ଡବଲ୍ସ ଏସ୍ଏଲ୍୩-ଏସ୍ୟୁ୫ ଇଭେଣ୍ଟରେ ଇଣ୍ଡୋନେସିଆର ଲାନି ରାତ୍ରି ଓକଟିଲା ଓ ଜିକମତ ରାମଦାନିଙ୍କ ବିପକ୍ଷ ସେମିଫାଇନାଲରେ ପ୍ରମୋଦ ଓ ମନୀଷା ପ୍ରଥମ ଗେମ୍କୁ ୨୧-୧୬ ବ୍ୟବଧାନରେ ଜିତିଥିଲେ। ହେଲେ ଅସ୍ଥିର ପ୍ରଦର୍ଶନ କାରଣରୁ ସେମାନେ ପରବର୍ତ୍ତୀ ଦୁଇ ଗେମ୍ରେ ୧୩-୨୧ ଓ ୧୭-୨୧ ବ୍ୟବଧାନରେ ପରାସ୍ତ ହୋଇଥିଲେ। ସିଙ୍ଗଲ୍ସରେ ୬ ଥରର ବିଶ୍ୱ ପାରା ଚାମ୍ପିୟନ ତଥା ଟୋକିଓ ପାରାଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ସେମିଫାଇନାଲରେ କୋରିଆର ଲି ସେଉନଘୁଙ୍କୁ ପରାସ୍ତ କରିଛନ୍ତି। ଦୀର୍ଘ ୨ ଘଣ୍ଟା ଓ ୯ ମିନିଟ୍ ଧରି ଚାଲିଥିବା ମ୍ୟାଚ୍କୁ ପ୍ରମୋଦ ୧୬-୨୧, ୨୧-୧୮, ୨୧-୧୭ ଗେମ୍ରେ ଜିତି ନେଇଥିଲେ। ଫାଇନାଲରେ ପ୍ରମୋଦ ପ୍ୟାରିସ ପାରାଲିମ୍ପିକ୍ ଚାମ୍ପିୟନ ନୀତେଶ କୁମାରଙ୍କୁ ଭେଟିବେ।

