Odisha 10th Exam: ୧୦ମ ଶ୍ରେଣୀ ଛାତ୍ରୀ ପ୍ରସବ ଘଟଣାରେ ଯୁବକ ଗିରଫ

ଚିତ୍ରକୋଣ୍ଡା,୨୭ା୨ (ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟରେ ଛାତ୍ରୀଙ୍କ ପ୍ରସବ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ଚିତ୍ରକୋଣ୍ଡା ପୋଲିସ ଗିରଫ ପରେ ବୁଧବାର କୋର୍ଟ ଚାଲାଣ କରିଛି। ସେ ହେଲେ ଚିତ୍ରକୋଣ୍ଡା ଥାନା ଦିସାରିଗୁଡ଼ା ଗ୍ରାମର ସୁଶାନ୍ତ ଖିଲ (୨୨)। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ସୋମବାର ଛାତ୍ରୀ ଜଣକ ମାଟ୍ରିକ୍‌ ପରୀକ୍ଷା ଦେଇ ଛାତ୍ରୀନିବାସକୁ ଫେରିବା ପରେ ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରି ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହି ଘଟଣା ବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିବା ପରେ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀକରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପହଞ୍ଚି ନାବାଳିକାଙ୍କ ସହ ନବଜାତକକୁ ଚିତ୍ରକୋଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ମାଲକାନଗିରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ପୋଲିସ ପ୍ରାଥମିକ ତଦନ୍ତ ପରେ ଏଥିରେ ଦିସାରିଗୁଡା ଗ୍ରାମର ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ଜାଣି ତାଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଳାଇଥିଲା।

Share