ସୁଦାନରେ ଓଡ଼ିଆ ଯୁବକ ଅପହୃତ; ମୁକୁଳାଇବାକୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଭୁବନେଶ୍ୱର,୩।୧୧: ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ।

ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅଲ ଫାଶିର ସହରରୁ ତାଙ୍କୁ ଅପହରଣ କରାଯାଇଛି। ଏକ ଭିଡିଓରେ ସେ ଦୁଇ ସଶସ୍ତ୍ର ସୈନିକ ମଝିରେ ବସି କହୁଛନ୍ତି, “ଶାହରୁଖ ଖାନଙ୍କୁ ଜାଣନ୍ତି କି?” ଓ “ଡାଗାଲୋ ଭଲ” ବୋଲି କହିବାକୁ ବାଧ୍ୟ କରାଯାଇଛି। ଡାଗାଲୋ ହେଉଛନ୍ତି ଆରଏସଏଫର ନେତା। ଅନ୍ୟ ଏକ ଭିଡିଓରେ ସେ ଓଡ଼ିଶା ସରକାରଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି।

ସୁଦାନର ଗୃହଯୁଦ୍ଧରେ ଲକ୍ଷାଧିକ ଲୋକ ବିସ୍ଥାପିତ। ଆଦର୍ଶଙ୍କ ସ୍ତ୍ରୀ ସୁସ୍ମିତା ଓ ଦୁଇ ପୁଅ (୮ ଓ ୩ ବର୍ଷ) ଚିନ୍ତାରେ। ପରିବାର ଉଦ୍ଧାର ପାଇଁ ସରକାରଙ୍କ ଠାରେ ନିବେଦନ କରିଛନ୍ତି। ସୁଦାନ ରାଷ୍ଟ୍ରଦୂତ କହିଛନ୍ତି, ଅଞ୍ଚଳରେ ଯୋଗାଯୋଗ ବନ୍ଦ ରହିଛି, ଶୀଘ୍ର ସୁରକ୍ଷିତ ଉଦ୍ଧାର ଆଶା।

Share