ଦିଗପହଣ୍ଡି,୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୯ ନଂ ୱାର୍ଡ ଦଳିତ ସାହିର ଦାଦନ ଶ୍ରମିକ ବିଜୟ ନାଇକ(୩୬) ତାମିଲନାଡୁର ର୍ତିଚ୍ଚିରେ ମୃତ୍ୟୁବରଣ କରିଛନ୍ତି। ଗତ ୧ ତାରିଖ ନୂଆବର୍ଷ ସକାଳେ ବିଜୟ ମେସ ପାଇଁ ବଜାରରୁ ସଉଦା ଆଣିବା ପାଇଁ ଏକ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ଏକ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସେଠାକାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ବିଜୟ ତାମିଲନାଡୁ ର୍ତିଚ୍ଚି ସହର ନିକଟ ଏକ ଗ୍ରାନାଇଟ କମ୍ପାନୀରେ କାମ କରୁଥିଲେ। ଘରେ ତାଙ୍କ ସ୍ତ୍ରୀ ଅନିତା ନାଇକ,୧୦ ବର୍ଷ ବୟସର ଝିଅ,୪ ବର୍ଷ ବୟସର ପୁଅ ଏବଂ ବିଧବା ମା’ ବିନି ନାଇକ ଅଛନ୍ତି। କିଛିବର୍ଷ ପୂର୍ବେ ତାଙ୍କ ବାପା ବରଡ଼ା ନାଇକଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଖବର ପାଇବା ପରେ ବିଜୟଙ୍କ ଶଳା ତୁମ୍ବା ନାଇକ ର୍ତିଚ୍ଚି ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ବ୍ୟବସ୍ଥା ତଦାରଖ କରୁଥିଲେ। ସୋମବାର ରାତିରେ ବିଜୟଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ମୃତଦେହ ଗାଁକୁ ନେବା ପାଇଁ ସେ ଗ୍ରାନାଇଟ କମ୍ପାନୀ ମାଲିକଙ୍କୁ ନିବେଦନ କରିବାରୁ ସେ ତାଙ୍କୁ ୫୦ ହଜାର ଟଙ୍କା ଦେଲେ କମ୍ପାନୀ ଆଉ ୫୦ ହଜାର ଟଙ୍କା ଖର୍ଚ୍ଚ କରି ମୃତଦେହ ଆମ୍ବୁଲାନ୍ସ ଯୋଗେ ନିଆଯିବ କହିଥିବା ତୁମ୍ବା ନାଇକ ଜଣାଇଛନ୍ତି। ବିଜୟଙ୍କ ମୃତଦେହ ଗାଁକୁ ଆଣିବା ପାଇଁ ସ୍ତ୍ରୀ ଅନିତା ସ୍ଥାନୀୟ ପୋଲିସ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।
Dharitri – Odisha’s No.1 Odia Daily