ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି ଭାରତର ସମ୍ବିଧାନ ପ୍ରଣେତା, ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ଅବହେଳିତ, ଦଳିତଙ୍କ ସ୍ବାର୍ଥ ଓ ସମ୍ମାନ ତଥା ସାମାଜିକ ସମରସତାର ମୂର୍ତ୍ତିମନ୍ତ ପ୍ରତୀକ ଡକ୍ଟର ଭୀମରାଓ ଆମ୍ବେଡକରଙ୍କ ଜନ୍ମ ଜୟନ୍ତୀ। ଆଜିର ଏହି ପବିତ୍ର ଶୁଭଦିନରେ ଆମ ରାଜ୍ୟର, ରାଜ୍ୟ ବାହାରେ ଏବଂ ସାରା ବିଶ୍ୱରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଗାମୀ ବର୍ଷ ଓ ଆଗକୁ ଆହୁରି ଅନେକ ଅନେକ ବର୍ଷ ଆପଣଙ୍କ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦର ହାତ ରହୁ ଏହା ହିଁ କାମନା କରୁଛି।
ଗତ କିଛିଦିନ ତଳେ ଚଳିତ ଏପ୍ରିଲ ମାସ ୧ ତାରିଖରେ ଆମେ ଓଡ଼ିଶା ଦିବସ ପାଳନ କରିଛେ। ଏପ୍ରିଲ ୧ ଓଡ଼ିଶା ଦିବସରୁ ଏପ୍ରିଲ ୧୪ ଓଡ଼ିଆ ନୂଆବର୍ଷ ପର୍ଯ୍ୟନ୍ତ ଆମେ ଓଡ଼ିଆ ଭାବରେ ଆମ ସ୍ବାଭିମାନ, ପରିଚୟ ଓ ଅସ୍ମିତାରେ ଯୋଡ଼ି ହେବା ପାଇଁ ଓ ଏଥିରୁ ପ୍ରେରଣା ନେବା ଲାଗି ପ୍ରତିଦିନ ଓଡ଼ିଆ ସ୍ବତନ୍ତ୍ର ପରିଚୟର ଉତ୍ସବ ପାଳନ କରିଛେ। ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିକୁ ନେଇ ଗତ ୧୪ ଦିନ ଧରି ଆମ ପରିଚୟକୁ ଖୋଜିବା ସହ ନୂଆ ପିଢ଼ି ପାଖକୁ ବାର୍ତ୍ତା ପହଞ୍ଚାଇବା ପାଇଁ ଚେଷ୍ଟା କରିଛେ। ଏହି ସମୟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବିନ୍ଧାଣି ମହାପୁରୁଷ ଓ ମହୀୟସୀମାନଙ୍କୁ, ଯେଉଁମାନଙ୍କ ତ୍ୟାଗ, ବଳିଦାନ ଯୋଗୁଁ ସମ୍ଭବ ହୋଇଥିଲା ଖଣ୍ଡବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ, ସେମାନଙ୍କୁ ଯଥୋଚିତ ସମ୍ମାନ ଦେଉଛୁ।
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୧ତମ ପ୍ରତିଷ୍ଠା ଦିବସରୁ ଆଜି ୧୪ ଏପ୍ରିଲ ମହାବିଷୁବ ପଣାସଂକ୍ରାନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂଆ ଅବସର ପାଇଁ ସୁଯୋଗ ସୃଷ୍ଟି କରୁ, ଆଜି ଦିନରେ ଏହା ହିଁ କାମନା।
ଆସନ୍ତୁ ମନ, ପ୍ରାଣ, ହୃଦୟରୁ ଓଡ଼ିଆ ହେବା। ଓଡ଼ିଆ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ ଏବଂ ସଂସ୍କୃତିକୁ ଆମର ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସ୍ବାଭିମାନୀ ଓଡ଼ିଶା ଗଠନ କରିବାକୁ ସଂକଳ୍ପ ନେବା।
ଓଡ଼ିଆ ଆଜି ଯାହା ଚିନ୍ତା କରେ, ସାରା ଦେଶ ଆଗାମୀ ଦିନରେ ସେହି ରାସ୍ତାରେ ଯାଏ। ସ୍ବାଧୀନତା ପୂର୍ବରୁ ଆମ ଜାତି ଭାଷା ଆଧାରିତ ରାଜ୍ୟ ଗଠନ ପାଇଁ ଦୀର୍ଘ ଦଶନ୍ଧି ଧରି ଲଢ଼େଇ କରିଥିଲା। ସ୍ବାଧୀନତା ପରେ ଆମ ଦେଶରେ ରାଜ୍ୟ ଗଠନର ଆଧାର ହେଲା ଭାଷା। ଉତ୍କଳଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ ଦାସ, କର୍ମବୀର ଗୌରୀଶଙ୍କର, ସ୍ବଭାବକବି ଗଙ୍ଗାଧର, ବ୍ୟାସକବି ଫକୀର ମୋହନ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏମିତି ଆହୁରି ଅନେକ ନେତୃତ୍ୱଙ୍କର ଦୂରଦୃଷ୍ଟିର ଓଡ଼ିଆ ଜାତି ହିଁ ଦାୟାଦ।
ଥରେ ଭାବନ୍ତୁ- ଆମେ କଳିଙ୍ଗ ଯୁଦ୍ଧ ହାରିନଥିଲୁ। ବୀର ଓଡ଼ିଆଙ୍କ ଶକ୍ତି, ସାମର୍ଥ୍ୟ ଓ ସାହସ ଆଗରେ ସମ୍ରାଟ୍‌ ଅଶୋକଙ୍କ ମଥାନତ ହୋଇଥିଲା। ସଂସ୍କୃତ ପରେ ମହାଭାରତ ଓଡ଼ିଆ ଭାଷାରେ ହିଁ ପ୍ରଥମେ ରଚିତ ହୋଇଥିଲା। କାଳିଦାସ ତାଙ୍କ କାବ୍ୟ ମେଘଦୂତରେ କଳିଙ୍ଗର ରାଜାଙ୍କୁ ମହୋଦଧିପତି ଭାବରେ ଅବିହିତ କରିଥିଲେ। ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ସାରା ବିଶ୍ୱରେ ମହିଳା ସଶକ୍ତୀକରଣର ନୂତନ ବାର୍ତ୍ତା ଦେଇଥିଲା। ମା’ ଲକ୍ଷ୍ମୀ ତଥାକଥିତ ସମାଜର ପଛୁଆବର୍ଗର ମହିଳା ଶ୍ରୀୟା ଘରକୁ ଯାଇ ସ୍ବଚ୍ଛତାର ବାର୍ତ୍ତା ଉପରେ ମୋହର ଲଗାଇଥିଲେ। କୋଣାର୍କର ସୂର୍ଯ୍ୟମନ୍ଦିର କେବଳ ଭାସ୍କର୍ଯ୍ୟର ପେଣ୍ଠସ୍ଥଳୀ ନୁହେଁ, ବରଂ ବାଳସୂର୍ଯ୍ୟ, ଉଦିତ ସୂର୍ଯ୍ୟ ଓ ଅସ୍ତଗାମୀ ସୂର୍ଯ୍ୟଙ୍କ ନିର୍ଦ୍ଦିଷ୍ଟ ସ୍ଥିତି ଓ ଅବସ୍ଥିତି ଏବଂ ଗଣନା ଆଧାରରେ ଆଷ୍ଟ୍ରୋ ଫିଜିକ୍ସର ଓଡ଼ିଆଙ୍କ ପାରଙ୍ଗମତାର ନିଦର୍ଶନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୮୦୦ ବର୍ଷ ପୁରୁଣା ମନ୍ଦିରର ଦୃଢ଼ତା ଓ ସ୍ଥାୟିତ୍ୱ ଓଡ଼ିଆ ଜାତିର, ଷ୍ଟ୍ରକ୍‌ଚରାଲ ଇଂଜିନିୟରିଂ ଓ କେମିକାଲ ଇଂଜିନିୟରିଂ କ୍ଷେତ୍ରରେ ନୈପୁଣ୍ୟତାର ପ୍ରମାଣ। ଏହାକୁ ମାନିବାକୁ ହେବ। ଭୀମ ଭୋଇଙ୍କ ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ କାଳଜୟୀ କବିତା ମହିମା ବିଚାର ଯେ, ବିଶ୍ୱର ସବୁଠୁ ବଡ଼ ଦର୍ଶନ ମଧ୍ୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାକୁ ହକ୍‌ଦାର, ଏଥିରେ କେହି ଦ୍ୱିମତ ହେବେ ନାହିଁ। ସମ୍ବଲପୁର, କୋଟପାଡ଼, ପଶାପାଲି, ମାଣିଆବନ୍ଧ ସମେତ ପ୍ରାୟ ସବୁ ଜିଲାର ବସ୍ତ୍ର ଓ ହସ୍ତକଳାର ପ୍ରାଚୁର୍ଯ୍ୟ ତଥା ଆମର କଳା ଭାସ୍କର୍ଯ୍ୟ, ନୃତ୍ୟ, ସଙ୍ଗୀତ ବିଶ୍ୱକୁ ପ୍ରଭାବିତ କରିବା ପାଇଁ ବଡ଼ ସମ୍ଭାବନା ରଖିଛି, ଏହାକୁ ଯେ କେହି ବି ସ୍ବୀକାର କରିବ।
ଦିଲ୍ଲୀରେ ମୋଦିଜୀଙ୍କର ହେଉ ବା ଓଡ଼ିଶାରେ ତାଙ୍କ ମାର୍ଗ ଦର୍ଶନରେ ଚାଲିଥିବା ସରକାର ସବୁବେଳେ ଲୋକଙ୍କ ସରକାର। ଯଦି ପ୍ରତି ଓଡ଼ିଆ ପାଦେପାଦେ ଆଗକୁ ଚାଲିବେ, ତା’ହେଲେ ଓଡ଼ିଶା ସାଢ଼େ ୪ କୋଟି ପାଦ ଆଗକୁ ଯିବ। କହିବାର ଉଦ୍ଦେଶ୍ୟ, ଆମେ ଓଡ଼ିଶାବାସୀ ଓଡ଼ିଶାର ଭାଗ୍ୟ ନିର୍ଦ୍ଧାରକ। ଯଦି ଏ ଜାତି ଆଗକୁ ବଢ଼ିବା ପାଇଁ ଦୃଢ଼ ନିଶ୍ଚିତ ହୁଏ, ଏହାର ପ୍ରଗତିକୁ କେହି ରୋକି ପାରିବେ ନାହିଁ।
ଜଣେ ରାଜନୈତିକ କାର୍ଯ୍ୟକର୍ତ୍ତା ହିସାବରେ ଓ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମୁଁ ଯେତେବେଳେ ନୂଆ ଓଡ଼ିଶାର ନୂଆ ପିଢ଼ି ସହ ମିଶିଛି, ସେମାନଙ୍କ ଆଖିରେ ନିଜେ ବଡ଼ ହେବାର ଓ ଆମ ମାତୃଭୂମିକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ଶପଥର ଝଲକକୁ ମର୍ମେ ମର୍ମେ ଅନୁଭବ କରିଛି।
ଓଡ଼ିଶା ମାଟିତଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅମାପ ଖଣିଜ ସମ୍ପଦ ଦେଇଛନ୍ତି। ଉଚ୍ଚମାନର ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌, ମାଙ୍ଗାନିଜ୍‌, କୋଇଲା, ଚୂନପଥର, ଲାଇମ୍‌ଷ୍ଟୋନ , ଡୋଲ୍‌ମାଇଟ, ଗ୍ରାଫାଇଟ୍‌ର ଅମାପ ଭଣ୍ଡାର ଦେଇଛନ୍ତି।
ଆମର ନଦନଦୀ, ଜଳଶକ୍ତିରେ ଓଡ଼ିଶାକୁ ବେଶ୍‌ ସମୃଦ୍ଧ କରିଛି। ୪୮୦ କିଲୋମିଟର ବ୍ୟାପୀ ସୁଦୀର୍ଘ ବେଳାଭୂମି ଆମର ଅନନ୍ୟ ସମ୍ପଦ। ନୀଳ ଅର୍ଥନୀତିର ବଡ଼ ସମ୍ଭାବନାର ସୁଯୋଗ ଆମକୁ ଦେଇଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶା ପାଖରେ ଅଛି ଅମାପ ଜଙ୍ଗଲ ସମ୍ପଦ। ଜଙ୍ଗଲ ସହିତ ଜଡ଼ିତ ଆଦିବାସୀ ଓ ବନଜାତ ଦ୍ରବ୍ୟ ଏବଂ ଜଙ୍ଗଲ ସହିତ ଜଡ଼ିତ ଆର୍ଥିକ ବିକାଶର ଅନେକ ଦିଗ ବିକାଶର ବାଟରେ ଆମ ରାଜ୍ୟକୁ ଆଗେଇ ନେବା ପାଇଁ ଅନେକ ସୁଯୋଗ ସୃଷ୍ଟି କରିଛି।
ଓଡ଼ିଶା ଆଜିକା ଦିନରେ ଭୌତିକ ଦୃଷ୍ଟିରୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ହୁଏତ ପଛରେ ଥାଇପାରେ, ମାତ୍ର ଆମ ଯୁବପିଢ଼ିର ବୌଦ୍ଧିକ ଶକ୍ତି ଦେଶର କୌଣସି ବି ରାଜ୍ୟଠାରୁ ପଛରେ ନୁହେଁ; ଏକଥା ମୁଁ ଦୃଢ଼ତାର ସହିତ କହିପାରିବି। ଭାରତର ବଡ଼ ବୁଦ୍ଧି ଆଧାରିତ ସୂଚନା ଓ ପ୍ରଯୁକ୍ତି ବା ଆଇଟି ଶିଳ୍ପରେ ଓଡ଼ିଆ ନୂଆ ପିଢ଼ିିର ଯୋଗଦାନକୁ ଯେ କେହି ବି ସ୍ବୀକାର କରିବ।
ଓଡ଼ିଆ ଜାତି ପରିଶ୍ରମୀ। ଏକଥା ସତ, ଆମ ମାଟିରେ ଆମ ଲୋକମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇ ଦିଆଯାଇ ପାରିନାହିଁ। ମାତ୍ର ଦଶନ୍ଧି ଦଶନ୍ଧି ଧରି ଆମ ଲୋକମାନଙ୍କ ଝାଳରେ ଦେଶର ପଶ୍ଚିମ ଓ ଦକ୍ଷିଣ ପ୍ରଦେଶମାନେ ଯେ, ଆର୍ଥିକ ପ୍ରଗତିର ଶୀର୍ଷକୁ ଯିବା ପାଇଁ ସଫଳ ହୋଇଛନ୍ତି, ଏଥିରେ କେହି ଦ୍ୱିମତ ହେବେ ନାହିଁ।
ଏସବୁ ପ୍ରସଙ୍ଗ ଉଠାଇବା ପଛରେ ମୋ ମନରେ ଏକ ଆବେଗ ଅଛି। ଆମେ ଆମର ଅପାର ସମ୍ଭାବନାକୁ ସଠିକ୍‌ ଉପଯୋଗ ନ କରିବା କାରଣରୁ ଆମେ ସାରା ଦେଶରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ପ୍ରଗତିର ମାପଦଣ୍ଡରେ ପଛରେ ପଡ଼ିଛେ। କାହାକୁ ଦୋଷ ଦେଇ ନିଜ ଦାୟିତ୍ୱରୁ ହଟିଯିବା ମୋ ଭଳି ଗରିବ ପୃଷ୍ଠଭୂମିରୁ ସଂଘର୍ଷର ରାସ୍ତା ଆପଣାଇ ଏହି ସ୍ଥାନରେ ପହଞ୍ଚିଥିବା ମେହନତୀ ମଣିଷ ପକ୍ଷରେ ସମ୍ଭବ ନୁହେଁ।
ଭଗବାନ୍‌ ଆମକୁ ଖଣି ଦେଇଛନ୍ତି। ଗତ କିଛି ବର୍ଷରେ ମୋଦୀ ସରକାରଙ୍କର ଖଣି ଓ ଖଣି ଆଧାରିତ ନୀତିରେ ପରିବର୍ତ୍ତନ ଏବଂ ଖଣିଥିବା ରାଜ୍ୟକୁ ଏହାର ସବୁ ଫାଇଦା ଦେବା କାରଣରୁ ଓଡ଼ିଶାର ବଜେଟ ଆକାରକୁ ବହୁତ ବଢ଼ାଇଛି। ସରକାରଙ୍କର ବଜେଟ ସାଇଜ୍‌ ବଡ଼ ହୋଇଛି ସତ, କିନ୍ତୁ ଓଡ଼ିଆ ଲୋକଙ୍କର ରୋଜଗାର ଯେତିକି ବଢ଼ିବା କଥା ତାହା ବଢ଼ି ପାରିନାହିଁ।
ଖଣି ଆଧାରିତ ରାଜ୍ୟ ରାଜସ୍ବ ତ ମିଳିବ, କିନ୍ତୁ ଆମକୁ ଖଣି ବାହାରେ ପୁରୁଷାର୍ଥ କରିବାକୁ ପଡ଼ିବ। କୃଷି, କୃଷି ଆଧାରିତ ଆନୁଷଙ୍ଗିକ କ୍ଷେତ୍ର ଓ କୃଷି ଉତ୍ପାଦର ପ୍ରକ୍ରିୟାକରଣର ସମ୍ଭାବନାକୁ ମୋ ସରକାର ପ୍ରାଥମିକତା ଦେଇଛି। ଓଡ଼ିଆ ଲୋକଙ୍କୁ ଚାକିରିଆ ନୁହେଁ, ରୋଜଗାର ସୃଷ୍ଟି କରିବା ପାଇଁ ଉଦ୍ୟମୀ ହେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ କରିବାକୁ ଆମେ ଉଦ୍ୟମରତ। ଶିଳ୍ପ, କ୍ଷୁଦ୍ର, ଲଘୁ ଉଦ୍ୟୋଗ ଏବଂ ଓଡ଼ିଶାର ପାରମ୍ପରିକ ଶିଳ୍ପ ଯଥା ବୟନ ଶିଳ୍ପ, ହସ୍ତକଳା ଆଦିକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ବଡ଼ ଯୋଜନାକୁ କ୍ରିୟାନ୍ବିତ କରିବା ପ୍ରକ୍ରିୟାରେ ଆମେ ଲାଗି ପଡ଼ିଛୁ।
ଦେଶ ଏବେ ଅମୃତକାଳରେ। ୨୦୪୭ରେ ଆମ ଦେଶ ସ୍ବାଧୀନତାର ୧୦୦ ବର୍ଷ ପାଳନ କରିବ। ମାତ୍ର ଏହା ପୂର୍ବରୁ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ଆମର ସଂକଳ୍ପ ଦେଶ ଯେତେବେଳେ ୧୦୦ ବର୍ଷ ପୂରଣ କରିବ, ଦେଶକୁ ବିଶ୍ୱର ଏକ ନମ୍ବର ଅର୍ଥନୀତି କରିବାରେ ଓଡ଼ିଶା ଏକ ନିର୍ଣ୍ଣାୟକ ଭୂମିକା ନେବ। ସେଥିପାଇଁ ୨୦୩୬ ସୁଦ୍ଧା ଓଡ଼ିଶାକୁ ଖାଲି ଭାରତର ନୁହେଁ, ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଆଗୁଆ ଭୂଖଣ୍ଡ ଭାବେ ଗଢ଼ି ତୋଳିବା ପାଇଁ ଆମକୁ ଯୋଜନାରେ ସଫଳ ହେବାକୁ ପଡ଼ିବ। ହାତରେ ମାତ୍ର ୧୧ ବର୍ଷ, ମାନେ ୧୧ X ୩୬୫ ଏପରି ମୋଟ ୪୦୧୫ ଦିନ। ଯୋଜନାବଦ୍ଧ କଠିନ ପରିଶ୍ରମ ହିଁ ଆମର ନିଷ୍ଠା। ଆମ ଆତ୍ମବିଶ୍ୱାସ ଆମର ଶକ୍ତି। ଆମ ରାଜାଙ୍କ ବିଜୟ ପାଇଁ କଳା ଧଳା ଘୋଡ଼ାରେ ଚଢ଼ି ଆମ ବଡ଼ଠାକୁର ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ଓଡ଼ିଆଙ୍କ ଲୋକବିଶ୍ୱାସ। ଓଡ଼ିଆ ସାଧବପୁଅ ସାତ ଦରିଆ ତେର ନଈ ଡେଇଁ ସମୁଦ୍ର ପଥରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ଓଡ଼ିଆଙ୍କ ଆତ୍ମବିଶ୍ୱାସକୁ ଆହୁରି ଦୃଢ଼ କରି ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଆଜି ଓଡ଼ିଆ ନୂଆବର୍ଷରେ ଆସନ୍ତୁ ଦୃଢ଼ ସଂକଳ୍ପ ନେବା।

ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଟାଇଟଲ୍‌ ଲକ୍ଷ୍ୟରେ ଭାରତ: ଇଂଲଣ୍ଡ ଆଗରେ ୪୧୨ ରନ୍‌ର ବିଶାଳ ଟାର୍ଗେଟ୍‌

ହରାରେ,୬।୨: ହରାରେ ସ୍ପୋଟର୍‌ସ କ୍ଲବଠାରେ ଶୁକ୍ରବାର ୧୯ ବର୍ଷରୁ କମ୍‌ ପୁରୁଷ ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଫାଇନାଲ ମ୍ୟାଚ୍‌ରେ ଭାରତ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

ରୁଷିଆର ଶୀର୍ଷ ଗୁପ୍ତଚର ଅଧିକାରୀଙ୍କୁ ଆକ୍ରମଣ

ମସ୍କୋ,୬।୨: ମସ୍କୋରେ ଏକାଧିକ ଗୁଳି ମାଡ଼ ହେବା ପରେ ଜଣେ ବରିଷ୍ଠ ରୁଷୀୟ ସେନା ଜେନେରାଲ ଆହତ ହୋଇଛନ୍ତି। ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ଏକ ଆବାସିକ କୋଠାରେ…

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri