ହସ୍ପିଟାଲରେ ଜୀବନ ହାରିଲେ ନର୍ସିଂ ଛାତ୍ର

ବାଲେଶ୍ୱର,୧୨।୯(ବାଞ୍ଛାନିଧି ଦେ): ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଳୟରେ ଜଣେ ବିଏସ୍‌ସି ନର୍ସିଂ ଟ୍ରେନି ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡିଛି। ଛାତ୍ର ଜଣକ ବେକରେ ବେଡ଼ସିଟ ଲାଗାଇ ସର୍ଜରୀ ବିଭାଗର ଡ୍ରେସିଂ ରୁମ୍‌ରେ ଫ୍ୟାନରେ ଓହଲି ପଡ଼ିଥିଲେ।

ମୃତ ଛାତ୍ର ଜଣକ ହେଲେ, ସୋର ଥାନା ଅନନ୍ତପୁର ଅଞ୍ଚଳର ରୌମ୍ୟ ରଞ୍ଜନ ସାମଲ(୧୯)। ଅନ୍ୟପକ୍ଷେ ଚିକିତ୍ସାଳୟର କର୍ମଚାରୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କାଜୁଆଲଟିକୁ ନେଇଥିଲେ l ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ଛାତ୍ରଙ୍କ ବାପା ମୃତ୍ୟୁଞ୍ଜୟ ସାମଲ ହସ୍ପିଟାଲରେ ଆଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରନ୍ତି।

ରୌମ୍ୟ ବାଲେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂ କଲେଜରେ ପଢୁଥିଲେ। ଟ୍ରେନିଂ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ହଷ୍ଟେଲରେ ରହୁଥିଲେ। ହେଲେ ରୌମ୍ୟ ରଞ୍ଜନଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅନ୍‌ ଲାଇନ୍‌ ଗେମ୍‌ ଖେଳି ସେ ଜୀବନ ହାରିଥିବା କୁହାଯାଉଛି।

ଏନେଇ ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଆଇଆଇସି ବିଜୟ କୁମାର ଦାସ କହିଛନ୍ତି।