ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ରେ ଜଣେ ପ୍ରସୂତି ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ନର୍ସିଂ ହୋମ୍ ମାଲିକ ମଙ୍ଗୁଳୁ ଚରଣ ପ୍ରଧାନଙ୍କୁ ରବିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠ ନଗର ୪ର୍ଥ ଲେନ୍ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକଙ୍କୁ ଗତ ମେ’ ୧୯ରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ସେହିପରି ନର୍ସିଂ ହୋମ୍ରେ କାମକରୁଥିବା ଗଜପତି ଜିଲା ମୋହନା ଥାନା ଲୁହାଗୁଡ଼ି ଗ୍ରାମ ନିକଟସ୍ଥ ବାଲିବଡ଼ ଗ୍ରାମର ଅନ୍ୟତମ ଅଭିଯୁକ୍ତ ମହିଳା ସ୍ବାସ୍ଥ୍ୟକର୍ମୀ(ଏଏନ୍ଏମ) ପ୍ରମୋଦିନୀ ଗମାଙ୍ଗ (୨୨) ଙ୍କୁ ଗତ ୧୦ ତାରିଖରେ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲେ। ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ମାଗୁଣି ନାୟକଙ୍କ ଝିଅ ରୋଜି ପ୍ରାୟ ବର୍ଷକ ପୂର୍ବେ ପାଟପୁର ଥାନା କରାଖଣ୍ଡି ଗ୍ରାମର ଉଦୟ ନାୟକଙ୍କ ପୁଅବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜରାଟ ବରୋଦାସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବା ପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ। ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ମେ’ ୧୧ ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂ ହୋମରେ ଭର୍ତ୍ତି କରିଥିଲେ। ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୮୪/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରକାଶ ଯେ, ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ଗତ ୮ରେ ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲା ଅତିରିକ୍ତ ଚିକିତ୍ସାଧିକାରୀ, ଡ୍ରଗସ ଇନ୍ସପେକ୍ଟର,ଦିଗପହଣ୍ଡି ପୋଲିସ ଟିମ୍ ଉପସ୍ଥିତିରେ ଉକ୍ତ ନର୍ସିଂହୋମକୁ ସିଲ୍ କରାଯାଇଥିବା ଜଣାପଡିଛି। ଗତ ୨୦୧୩ ଅକ୍ଟୋବର ୭ରେ ଉକ୍ତ ନର୍ସିଂହୋମରେ ତ୍ରୁଟି ପୂର୍ଣ୍ଣ ଚିକିତ୍ସା ଯୋଗୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଘଟିଥିଲା। ଏନେଇ ନର୍ସିଂହୋମ ମାଲିକ ମଙ୍ଗୁଳୁଙ୍କ ନାଁରେ ଦିଗପହଣ୍ଡି ଥାନା ମାମଲା ନଂ.୧୦୧/୧୩ ଅନୁଯାୟୀ ମାମଲା ପଞ୍ଜୀକୃତ କରାଯାଇଥିଲା ବୋଲି ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।