ନୂଆପଡ଼ା,୯ା୧୧ (ମକାରୁ ବେମାଲ): କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏ ଏହି ମାଟିର ମଣିଷ, ନିଷ୍କଳଙ୍କ ବ୍ୟକ୍ତି ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ପ୍ରାର୍ଥୀ ଖୋଲାଖାତା ଭଳି ଯାହା ଆମେ ନିଜ ଇସ୍ତାହାରରେ ପ୍ରକାଶ କରିସାରିଛୁ ବୋଲି ଶନିବାର ନୂଆପଡ଼ାସ୍ଥିତ ଖୁଣ୍ଟିଆ ଭବନଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି କି ଯିଏ ଏଭଳି ନେତା ସେ ବ୍ଲକ ଚେୟାରମ୍ୟାନ ଥିଲାବେଳେ ନିଜ ବିଡ଼ିଓଙ୍କୁ ଭିଜିଲାନ୍ସ ଦ୍ୱାରା ଧରାଇଥିଲେ। ଏପରି କି ନିଜ କର୍ମୀଙ୍କ ବିରୋଧରେ ଧାରଣା ଦେଇଥିଲେ। ତାଙ୍କ ୪୧ ବର୍ଷର ରାଜନୈତିକ ଜୀବନ ଦୁର୍ନୀତି ବିରୋଧରେ ସଂଗ୍ରାମ ଏକ ଉଦାହରଣ। ଏହି ଉପନିର୍ବାଚନରେ ଦୁର୍ନୀତି ଏକ ମୁଦ୍ଦା ହେବା ନିତାନ୍ତ ଜରୁରୀ। କାରଣ ଜଣେ ଦୁର୍ନୀତିଗ୍ରସ୍ତ ବିଧାୟକ ସାଧାରଣ ଜନତାଙ୍କ ଅଧିକାର ପାଇଁ ଲଢେଇ କରିବେ ନାହିଁ। ନୂଆପଡ଼ା ଜିଲା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ କିଷାନ କଂଗ୍ରେସ ଅଧ୍ୟକ୍ଷ ଅଭୟ ସାହୁ ଓ କଳାହାଣ୍ଡି ଲୋକ ସଭା ସଦସ୍ୟ ପ୍ରାର୍ଥୀ ଦ୍ରୌପଦୀ ମାଝୀ ଉପସ୍ଥିତ ଥିଲେ।