ଏକ ନମ୍ବର ପଛରେ

ଏକ ନମ୍ବରରେ ରହିବା ପାଇଁ ଏବେ ଚାରିଆଡ଼େ କସରତ ହେଉଛି। ପୂର୍ବରୁ ଭାବୁଥିଲୁ ଯେ, ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିବାକୁ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସବୁକିଛି ଉଦ୍ୟମ କରିଦଅନ୍ତି। ଦରକାର ପଡ଼ିଲେ ପିଲାଙ୍କୁ କପି କରିବା ପାଇଁ ମଧ୍ୟ ଉସୁକାଇଥାଆନ୍ତି। ଏବେ ସେହି ଚରିତ୍ରଗତ ଦୋଷ ସରକାରୀ ସ୍ତରରେ ମଧ୍ୟ କିଛି ବର୍ଷ ହେଲା ଦେଖାଦେଉଛି। ଏକ ନମ୍ବର ରାଜ୍ୟଠାରୁ ଆରମ୍ଭକରି ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପାଇଁ କେବଳ ଓଡ଼ିଶା ନୁହେଁ, ଦେଶର ଅନ୍ୟ କେତେକ ରାଜ୍ୟ ମଧ୍ୟ ସର୍ବଦା ଚେଷ୍ଟିତ। ଏଥିପାଇଁ ଅସତ୍ୟ ନଥିପତ୍ର ସୃଷ୍ଟି କରିବାକୁ ପଡ଼ିଲେ ମଧ୍ୟ ତାହା ଯୋଗାଡ଼ କରି ଦିଆଯାଉଛି। ପୁରସ୍କାର ପାଇବା ହୋଇଯାଉଛି ଯେମିତି ପ୍ରାଥମିକ ଲକ୍ଷ୍ୟ। ସଦ୍ୟ ପ୍ରକାଶିତ ଅର୍ବାନ ଗଭର୍ନାନ୍ସ ଇଣ୍ଡେକ୍ସ (ୟୁଜିଆଇ) ୨୦୨୪ରୁ ଜଣାପଡ଼ିଛି ଯେ, ସହରାଞ୍ଚଳ ଶାସନ କ୍ଷେତ୍ରରେ କେରଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ଦ୍ୱିତୀୟରେ ରହିଛି। ପ୍ରଜା ଫାଉଣ୍ଡେଶନ ପକ୍ଷରୁ ଭାରତର ୨୮ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳର ୩୧ଟି ସହରରେ ଏ ନେଇ ଦୁଇବର୍ଷ ଧରି ଅଧ୍ୟୟନ କରାଯାଇଥିଲା। ଗବେଷକମାନଙ୍କ ଏକ ଟିମ୍‌ ଏହିସବୁ ସହରରେ ୨,୨୧୩ ପ୍ରମୁଖ ଅଂଶୀଦାରଙ୍କ ସମେତ ନିର୍ବାଚିତ ପ୍ରତିନିଧି, ପ୍ରଶାସକ, ଶିକ୍ଷାବିତ୍‌, ସିଭିଲ ସୋସାଇଟି, ଗଣମାଧ୍ୟମ ଏବଂ ଅର୍ବାନ ଗଭର୍ନାନ୍ସ ଓ ନୀତି ବିଶେଷଜ୍ଞଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିଥିଲେ। ୪୨ଟି ମାପଦଣ୍ଡକୁ ଆଧାର କରି ୧୦୦ରୁ କେରଳକୁ ୫୯.୩୧ ନମ୍ବର ମିଳିଥିଲା ବେଳେ ଓଡ଼ିଶା ୫୫.୧୦ ନମ୍ବର ରଖିଛି। ଏଠାରେ ପ୍ରଶ୍ନ ଉଠୁଛି, ଓଡ଼ିଶାର କେଉଁ ଗଣମାଧ୍ୟମ ସହ ଆଲୋଚନା ହୋଇଥିଲା, ତାହା କେହି ଜାଣି ନ ଥିବେ। ସେହିଭଳି ଆମ ରାଜ୍ୟର କେଉଁ ବ୍ୟକ୍ତି ନୀତି ସମ୍ପର୍କରେ ବିଜ୍ଞ ଓ ତାଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ କେତେଦୂର ବିଶ୍ୱସନୀୟ ତାହା ଖୋଜି ବାହାର କରାଯିବା ଦରକାର।
ସହରାଞ୍ଚଳ ଶାସନ ବା ପରିଚାଳନା ବ୍ୟବସ୍ଥା ଉତ୍ତମ ରହିଥିବା ନେଇ କାଗଜକଲମରେ କୁହାଯାଉଥିଲେ ମଧ୍ୟ ବାସ୍ତବରେ ତାହା ପ୍ରତିଫଳିତ ହେଉନାହିଁ। ଉଦାହରଣ ଭାବେ ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଓ ରାଉରକେଲା ଭଳି ସହରକୁ ଦେଖିଲେ ରାସ୍ତା କାମ ବାରମ୍ବାର ହେଉଥିବାରୁ ସଡ଼କ ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇ ପାରିନାହିଁ ବୋଲି କୁହାଯାଇପାରେ। ସେହିଭଳି ରାସ୍ତା, ଆଲୋକ, ବର୍ଷାପାଣି ନିଷ୍କାସନ, ବର୍ଜ୍ୟ ପରିଚାଳନା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଓଡ଼ିଶାର କୌଣସି ସହର କୌଣସି ମାପଦଣ୍ଡରେ ଉଚ୍ଚ ସ୍ଥାନ ହାସଲ କରିପାରିବ ନାହିଁ। ରାସ୍ତାର ଦୁରବସ୍ଥା ସହରର ଗମନାଗମନରେ ବିପଦକୁ ସୂଚିତ କରୁଛି। ସେଥିରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେବା ଓ ଫ୍ଲାଏ ଓଭରର କେତେକାଂଶ ଭାଙ୍ଗି ପଡ଼ିବା ଯୋଗୁ ବାରମ୍ବାର ଦୁର୍ଘଟଣା ଦେଖିବାକୁ ମିଳୁଛି। କୁହାଯାଇଥାଏ, ଏକ ପିଚୁ ରାସ୍ତାର ସ୍ଥାୟିତ୍ୱ ୨ ବର୍ଷ। ହେଲେ କଂକ୍ରିଟ ରାସ୍ତାର ଜୀବନ ପାଖାପାଖି ୨୫ ବର୍ଷ ହୋଇଥାଏ। ଯେତେବେଳେ କୁହାଯାଉଛି ଯେ, ଆମର ରାସ୍ତାଗୁଡ଼ିକ ଅତ୍ୟନ୍ତ ସ୍ମାର୍ଟ ହୋଇଯାଇଛି ସେତେବେଳେ ପିଚୁ ରାସ୍ତା କରିବା ଅପେକ୍ଷା ସେଗୁଡ଼ିକୁ କଂକ୍ରିଟ କରାଯାଇ ପାରିଥାଆନ୍ତା। କିନ୍ତୁ ଏ ଦିଗରେ ଅର୍ଥ ବାଟମାରଣା କରିଦେବାର ଉଦ୍ଦେଶ୍ୟ ରହୁଥିବାରୁ ପ୍ରତିବର୍ଷ ଠିକାଦାରଙ୍କୁ ପୋଷିବା ସାର ହେଉଛି। ସମାନ ଭାବେ ପାନୀୟ ଜଳ କଥା ଦେଖିଲେ ସବୁ ଘରକୁ ଏହା ଯୋଗାଇ ଦିଆଯାଇଛି ବୋଲି ସରକାରୀ ନଥିପତ୍ରରେ ଦର୍ଶାଯାଉଛି। କିନ୍ତୁ ବାସ୍ତବରେ ସହରଠାରୁ ଗାଁ ଯାଏ ଲୋକେ ପାଣି ପାଇଁ ସଂଘର୍ଷ କରୁଛନ୍ତି। ଅନୁରୂପ ଭାବେ ବିଦ୍ୟୁତ୍‌ ସଂଯୋଗ ଶତ ପ୍ରତିଶତ ହୋଇଥିବା କୁହାଯାଇ ବାହାବା ନିଆଯାଉଛି। ସହରର ସ୍ବେରେଜ, ସିଉଏଜ୍‌ ବ୍ୟବସ୍ଥା କିଭଳି ରହିଛି ତାହା ସମସ୍ତେ ଜାଣନ୍ତି। ଏ ଦିଗରେ ଅନେକ କୋଟି ଟଙ୍କା ବରାଦ ହେଉଥିଲେ ମଧ୍ୟ ତାହାର ସୁଫଳ ସାଧାରଣରେ ଦେଖିବାକୁ ମିଳୁନାହିଁ। ବର୍ଷାଦିନରେ କଟକ ଓ ଭୁବନେଶ୍ୱର ଭଳି ସିଟିର ମୁକୁଳା ଡ୍ରେନ୍‌ରେ ବାରମ୍ବାର ପିଲାଙ୍କ ଜୀବନ ଯାଉଛି। ଚଳିତ ବର୍ଷ ଜୁନ୍‌ରେ ଭୁବନେଶ୍ୱର ୟୁନିଟ୍‌ ୩ରେ ଡ୍ରେନ୍‌ରେ ପଡ଼ି ଜଣେ ୧୦ ବର୍ଷର ବାଳକଙ୍କ ମୃତ୍ୟୁ ହେବା ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ। ସହରୀ ବନ୍ୟା କଥା ନ କହିଲେ ଭଲ।
ବିଶେଷକରି ସହରର ବିକାଶ ପାଇଁ ଉପରଲିଖିତ କ୍ଷେତ୍ର ସକାଶେ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦିଆଯାଉଛି। ହେଲେ ଯେତେବେଳେ ପାଣ୍ଠି ଗ୍ରହଣ କରୁଥିବା ସରକାର କିମ୍ବା ନଗର ଶାସନ ବ୍ୟବସ୍ଥା ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ହାସଲ କରିଥିବା ବିଷୟ ଜଣାଇଥାଆନ୍ତି ଏବଂ ଏସବୁ ଉପରେ ଅନୁଧ୍ୟାନ କରୁଥିବା ସଂସ୍ଥା ସମ୍ପୃକ୍ତ ସହରଗୁଡ଼ିକୁ ଟପ୍‌ ରେଟିଂ ଦେଇ ଦିଅନ୍ତି, ସେତେବେଳେ ବିକାଶ ସେଇଠି ଅଟକି ଯାଉଛି ବୋଲି ଧରିନେବାକୁ ହେବ। କାରଣ ଅର୍ଥ ଯୋଗାଉଥିବା ସଂସ୍ଥା କିମ୍ବା କେନ୍ଦ୍ର ସରକାରଙ୍କ ରେକର୍ଡରେ ଦର୍ଶାଇ ଦିଆଯାଉଛି ଯେ, ବିଭିନ୍ନ ସହରାଞ୍ଚଳରେ ସବୁ ଉନ୍ନତିମୂଳକ କାର୍ଯ୍ୟ ହାସଲ ହୋଇଗଲାଣି। ଅର୍ଥାତ୍‌ ସେଥିପାଇଁ ଅଧିକ ପାଣ୍ଠି ଯୋଗାଇବାର ଆବଶ୍ୟକତା ରହୁନାହିଁ। ତେଣୁ ପରବର୍ତ୍ତୀ ସମୟରେ କେବଳ ରକ୍ଷଣାବେକ୍ଷଣ ପାଇଁ କ୍ଷୁଦ୍ର ପରିମାଣର ଅର୍ଥ ଦିଆଯାଉଛି। ଏହାଦ୍ୱାରା ଭବିଷ୍ୟତର ଶାସନ ବ୍ୟବସ୍ଥାରେ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଦିଆଯାଉଛି। ଏଭଳି ପରିସ୍ଥିତି ଓଡ଼ିଶାର ସରକାର ପୂର୍ବରୁ ଅନେକ ଥର କରିଥିବାରୁ ତାହାର କୁଫଳ ଏବେ ଭୋଗିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri