ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ

ନୂଆପଡ଼ା,୧୪ା୧୧(ମକାରୁ ବେମାଲ): ଶୁକ୍ରବାର ସକାଳ ଅର୍ଥାତ୍‌ ଆଜି ନୂଆପଡ଼ା ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍‌ ଏବଂ ଏହାର ୩୦ମିନିଟ୍‌ ପରେ ଇଭିଏମ୍‌ ଭୋଟ ଗଣତି ଆରମ୍ଭ ହୋଇଯିବ। ନୂଆପଡ଼ା ନ୍ୟାଶନାଲ କଲେଜଠାରେ ଭୋଟ ଗଣତି କରାଯିବ। ମୋଟ ୩୫୮ ବୁଥ୍‌ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡରେ ଗଣତି କରାଯିବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିବେ। ଜଣେ ଗଣତି ସହ ଅଧିକାରୀ, ଗଣତି ସୁପରଭାଇଜର ଏବଂ ମାଇକ୍ରୋ ଅବଜର୍ଭର ନିଯୁକ୍ତ ହୋଇଛନ୍ତି। ଏଥିଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥିରେ ୫ କମ୍ପାନୀ ସୁରକ୍ଷା ବଳ ନିଯୁକ୍ତ ହୋଇଛନ୍ତି ବୋଲି ଜିଲା ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତ୍‌ପାଲ ସିଂ ଗୁରୁବାର ସୂଚନା ଦେଇଛନ୍ତି। ଉପନିର୍ବାଚନରେ ମୋଟ୍‌ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ସେମାନଙ୍କ ଭିତରୁ କାହା ଉପରେ ନୂଆପଡ଼ା ବିଧାନସଭା କ୍ଷେତ୍ରର ଭୋଟର ଭରସା କରୁଛନ୍ତି ତାହା ଶୁକ୍ରବାର ସା ସୁଦ୍ଧା ସ୍ପଷ୍ଟ ହୋଇଯାଇଥିବ। ଯିଏ ବି ଏହି ଉପନିର୍ବାଚନରେ ବିଜୟୀ ହେବେ ସେ ଏହି ଆସନରୁ ନୂଆ ଚେହେରା ଭାବେ ବିଧାନସଭାକୁ ଯିବେ। ଅନ୍ୟପଟେ ଭାଜପା, ବିଜେଡି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଜଣାପଡୁଛି। କିଏ ୨ ଏବଂ ୩ ନମ୍ବର ସ୍ଥାନରେ ରହୁଛି ତାହା ମଧ୍ୟ ଓଡ଼ିଶା ରାଜନୀତି ପାଇଁ ବହୁ ଗୁରୁତ୍ୱ ବହନ କରିବ। ୩ ଦଳ ଭୋଟ ସରିବା ପରେ ବିଜୟୀ ହେବେ ବୋଲି ଦାବିକରି ଆସୁଛନ୍ତି। ୨୦୨୪ ନିର୍ବାଚନ ପରେ ଓଡ଼ିଶାରେ ଭାଜପା ପ୍ରଥମ ଥର ଏକୁଟିଆ ଶାସନକୁ ଆସିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ଏହି ପ୍ରଥମ ନିର୍ବାଚନ ଲଢୁଛି। ତେଣୁ ଏକ ଭଲ ଭୋଟ୍‌ ବ୍ୟବଧାନରେ ବିଜୟୀ ହେବା ଭାଜପା ପାଇଁ ବହୁତ ଗୁରୁତ୍ୱ ରଖିବ। ୨୪ ବର୍ଷ ପରେ କ୍ଷମତାରୁ ଯିବା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାଙ୍କ ଦଳ ପ୍ରଥମ ଥର ବିରୋଧୀ ଦଳ ଭୂମିକାରେ ରହି ଏହି ଉପନିର୍ବାଚନ ଲଢୁଛନ୍ତି। ଗତ ସାଧାରଣ ନିର୍ବାଚନରେ ଉକ୍ତ ଆସନ ମଧ୍ୟ ବିଜେଡି ହାତରେ ରହିଥିଲା। ତେଣୁ ବିଜେଡି ଏହି ଆସନ ନିଜ ଅକ୍ତିଆରକୁ ନେଇପାରୁଛି ନା ନାହିଁ ତାହା ମଧ୍ୟ ରାଜ୍ୟ ରାଜନୀତି ପାଇଁ ଗୁରୁତ୍ୱ ରଖୁଛି। ଅନ୍ୟପଟେ କଂଗ୍ରେସ ଏହି ଆସନରେ ଯଦି ଭଲ ପ୍ରଦର୍ଶନ କଲା ତେବେ ତାଙ୍କ ଦଳ ଉପରେ ରାଜ୍ୟର ଜନସାଧାରଣଙ୍କ ଆସ୍ଥା ବଢ଼ିବାର ଏକ ଆକଳନ ରାଜନୈତିକ ମହଲରେ କରାଯାଉଛି।

Dharitri – Odisha’s No.1 Odia Daily