ବିଜେଡିରେ ପଶିଲା ଛନକା: ଢୋଲକିଆ ପଦ୍ମ ଧରିବା ପରେ , ପ୍ରାର୍ଥୀ ଖୋଜିଖୋଜି…

ନୂଆପଡ଼ା,୧୧ା୧୦ (ମକାରୁ ବେମାଲ) : ନୂଆପଡ଼ା ବିଧାନସଭା ଉପନିର୍ବାଚନକୁ ନେଇ ଜିଲାରେ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି। ଏହି ଆସନ ଲାଗି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଭାଜପା ଓ ବିଜେଡି ମଧ୍ୟରେ ଏକପ୍ରକାର ଛକାପଞ୍ଝା ଲାଗିରହିଛି। ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶଙ୍ଖ ଛାଡି ପଦ୍ମ ଧରିବା ପରେ ବିଜେଡିରେ ଛନକା ପଶିଯାଇଛି।

ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନରେ ଖରିଆର ରୋଡ ଗଣପତି ପ୍ୟାଲେସଠାରେ ବିଜେଡିର ତୁଙ୍ଗ ନେତାଙ୍କ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ଜିଲା ସଭାପତି ଅବନୀ ରଞ୍ଜନ ଜୋଷୀ, ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଲମ୍ବୋଦର ନିଆଲଙ୍କ ସମେତ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନାରୀନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ, ଦେବୀ ପ୍ରସାଦ ମିଶ୍ର, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ବୈଠକ ବସିବା ପରେ କୌଣସି ଫଇସଲା ହୋଇ ନ ଥିବାରୁ କେତେଜଣ ନେତା ସଭାସ୍ଥଳ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ନାରୀନେତ୍ରୀ ଛୁରିଆଙ୍କୁ ପଚାରିବାରୁ ନୂଆପଡା ଉପନିର୍ବାଚନ ପାଇଁ ପ୍ରତ୍ୟେକ ଦିନ ଏଠାରେ ବୈଠକ କରୁଛୁ। ଆଜି ବି ବୈଠକ ରଖିଥିଲୁ। ଗତ ୯ତାରିଖରୁ ଆରମ୍ଭ ହୋଇଥିବା ଜନସମ୍ପର୍କ ପଦଯାତ୍ରା ନଭେମ୍ବର ୯ରେ ଶେଷ ହେବ। ଜୟ ଢୋଲକିଆଙ୍କ ସମ୍ପର୍କରେ ପଚାରିବାରୁ ସେ ଯେଉଁ ଦଳରେ ଗଲେ ମଧ୍ୟ ଆମକୁ ଫରକ ପଡିବ ନାହିଁ। ଆମ ଦଳ ସବୁବେଳେ ସଜାଗ ହୋଇ ରହିଛି। ଯିଏ ପ୍ରାର୍ଥୀ ହେଲେ ମଧ୍ୟ ବିଜେଡି ନୂଆପଡ଼ା ଆସନରେ ବିଜୟୀ ହେବ ବୋଲି କହିଥିଲେ। ବିଜେଡି ଜିଲା ସଭାପତି ଯୋଶୀଙ୍କୁ ପଚାରିବାରୁ ଆମ ଦଳ ଉପନିର୍ବାଚନ ପାଇଁ ପ୍ରସ୍ତୁତ ହୋଇ ରହିଛି। ରଣନୀତି ପାଇଁ ସମରସଜ୍ଜା ମଧ୍ୟ ଆରମ୍ଭ ହୋଇଗଲାଣି। ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛୁ। ଏହି ଉପନିର୍ବାଚନରେ ବିଜୟୀ ହୋଇ ସ୍ବର୍ଗତ ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବୁ ବୋଲି କହିଥିଲେ।

 

Dharitri – Odisha’s No.1, Most Trusted Odia Daily

Share