ପୁଣି ସସ୍‌ପେନ୍ସ ବଢ଼ାଇଲା ଢୋଲକିଆଙ୍କ ସମର୍ଥକଙ୍କ ରାଲି: ଜୟ କାହାର…

ଭୁବନେଶ୍ୱର,୧୧।୧୦: ସସ୍‌ପେନ୍ସ ବଢ଼ାଉଛି ଜୟ ଢୋଲକିଆଙ୍କ ସମର୍ଥକଙ୍କ ରାଲି। ନୂଆପଡ଼ା ଖରିଆର ରୋଡରେ ଜୟ ଢୋଲକିଆ ସମର୍ଥକ ବଡ଼ ରାଲି କରିଛନ୍ତି। କୌଣସି ଦଳର ପତାକା ନ ନେଇ ବଡ଼ ରାଲି ସହ ସଭା ମଧ୍ୟ କରିଛନ୍ତି। ଆମେ ଢୋଲକିଆଙ୍କ ପରିବାର ସହ ଅଛୁ କହି ନାରାବାଜି ଦେଇଛନ୍ତି। ତେବେ ଏପଟେ ଜୟ ଭାଜପାରେ ମିଶିବା ନେଇ ଚର୍ଚ୍ଚା ହେଉଛି।  ଦେବୀ ମିଶ୍ର ମଧ୍ୟ କହିଛନ୍ତି କାଲି ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ ଜୟ । ସକାଳୁ ସେ ଫେରିବା କଥା, କିନ୍ତୁ ଆସିନାହାନ୍ତି।

ଜୟଙ୍କୁ ସ୍ବାଗତ କରିବାକୁ ଭାଜପା କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲାଣି। ବର୍ତ୍ତମାନ ଜୟଙ୍କ ଭାଜପା ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି। ରାଜ୍ୟ ଭାଜପା ମୁଖ୍ୟାଳୟରେ ଶୀଘ୍ର ଆନୁଷ୍ଠାନିକ ଯୋଗଦାନ ହୋଇପାରେ ବୋଲି କୁହାଯାଉଛି। ଯାହା ବିଜେଡିକୁ ଏକ ଶକ୍ତ ଝଟ୍‌କା ବୋଲି କୁହାଯାଉଛି।  କୁହାଯାଉଛି ଯେ ଜୟ ଭାଜପାର କେନ୍ଦ୍ରୀୟ ନେତୃତ୍ବଙ୍କୁ ବି ଭେଟିସାରିଲେଣି। ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ। କିନ୍ତୁ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍‌କା ଦେଇପାରେ।

ଜୟଙ୍କ ବାପା ବିଜେଡରେ ଥିବାରୁ ସେ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହେବେ ବୋଲି କୁହାଯାଉଥିଲା। ଯାହାଦ୍ୱାରା ବିଜେଡିକୁ ସିମ୍ପାଥି ଭୋଟ ମଧ୍ୟ ମିଳିଥାଆନ୍ତା। କିନ୍ତୁ ଗତକାଲି ନବୀନ ଦିଲ୍ଲୀରୁ ଫେରୁ ଫେରୁ ଜୟଙ୍କ ପଦ୍ମ ଧରିବା କିଛି ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି। ଯଦି ଭାଜପା ପକ୍ଷରୁ ଜୟ ପ୍ରାର୍ଥୀ ହୁଅନ୍ତି ତେବେ ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Dharitri – Odisha’s No.1, Most Trusted Odia Daily

Share