ଭୁବନେଶ୍ୱର,୧୬ା୧୧(ସୁନିତ୍ ମିଶ୍ର): ଭାଜପା ନୂଆପଡ଼ା ଉପନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ଭାଜପା ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ଭାଜପା ସରକାର ସେଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଜୟ ଢୋଲକିଆଙ୍କ ନେତୃତ୍ୱରେ ନୂଆପଡ଼ା ରାଜ୍ୟର ୧ ନମ୍ବର ଜିଲା ହେବ। ନୂଆପଡ଼ାକୁ ନବନିର୍ବାଚିତ ବିଧାୟକ ନୂଆ ରୂପ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଜୟ ଢୋଲକିଆ ଶନିବାର ପହଞ୍ଚି ମୁଖ୍ୟମନ୍ତ୍ରୀ ଏବଂ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଛନ୍ତି। ତାଙ୍କ ପାଇଁ ଆୟୋଜିତ ସ୍ବାଗତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଶୁକ୍ରବାର ସାରେ ବିଜୟ ଉତ୍ସବ ପାଳନ କରାଯାଇଥିଲା, ଏବେ ଜୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଭାଜପା ସରକାର ୧୬ ମାସ ଅତିକ୍ରମକରି ଏବେ ୧୭ ମାସରେ ପଦାର୍ପଣ କରିଛି। ଗତ ୬ ମାସ ପୂର୍ବର ନୂଆପଡ଼ା ଜିଲା ମହୋତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବାବେଳେ ଭାଜପା ସରକାର ପ୍ରତି ନୂଆପଡ଼ାବାସୀଙ୍କ ସମର୍ଥନ ଦେଖିଥିଲି ବୋଲି ସେ କହିଛନ୍ତି। ଏହି ଅବସରରେ ମନମୋହନ ସାମଲ କହିଛନ୍ତି, ନୂଆପଡ଼ାବାସୀଙ୍କ ଆଶୀର୍ବାଦ କାରଣରୁ ଜୟ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ନୂଆପଡ଼ାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ଭାଜପା ଯାହା ପ୍ରତିଶ୍ରୁତି ଦିଏ ତାହା ପୂରଣ କରେ ବୋଲି ସେ କହିଛନ୍ତି। ଏହି ବିଜୟ ପାଇଁ ଢୋଲକିଆ ନୂଆପଡ଼ାବାସୀଙ୍କୁ ଅଶେଷ ଧନ୍ୟବାଦ ଦେଇ କହିଛନ୍ତି, ୧୧ ତାରିଖରେ ନୂଆପଡ଼ାବାସୀ ଗଣତନ୍ତ୍ରର ଏହି ମହାପର୍ବକୁ ପାଳନ କରି ପାଖାପାଖି ୮୩% ଭୋଟିଂ କରିଛନ୍ତି। ନୂଆପଡ଼ା ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ବିଜୟ ହୋଇଛି। ଭାଜପାର ଡବଲ ଇଞ୍ଜିନ ସରକାରର ବିଜୟ ହୋଇଛି। ମୁଖ୍ୟମନ୍ତ୍ରୀ ଯିଏ ନୂଆପଡ଼ା ଜିଲାର ବିକାଶ ଦାୟିତ୍ୱ ନେଇଛନ୍ତି ଏହା ହେଉଛି ତାଙ୍କର ବିଜୟ। ଭାଜପା ଶୀର୍ଷ ନେତୃମଣ୍ଡଳୀ ଯେଉଁଭଳି ଜଣେ ନୂଆ ସଦସ୍ୟଙ୍କୁ ଗୋଟିଏ ପରିବାର ଭଳି ପଥପ୍ରଦର୍ଶନ କଲେ, ଉପନିର୍ବାଚନ ସଞ୍ଚାଳନ କଲେ ଓ ଦଳୀୟ କାର୍ଯ୍ୟକର୍ତ୍ତାମାନେ ନୂଆପଡ଼ାବାସୀ ଲୋକଙ୍କୁ ଏକତ୍ରିତ କରି ଯେଉଁଭଳି ଉପନିର୍ବାଚନ ଶେଷକଲେ ସେଥିପାଇଁ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।