ନୂଆପଡ଼ା,୧ା୧୧(ମକାରୁ ବେମାଲ):ଦେଶ ଏବେ ବିକାଶ ପଥରେ ଅଗ୍ରସର ହେଉଛି। ଭାରତ ଆତ୍ମନିର୍ଭର ହେବା ନେଇ କେନ୍ଦ୍ର ସରକାର କହୁଛନ୍ତି। ହେଲେ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏକାଧିକ ଗାଁରେ ମୋବାଇଲ ଫୋନ୍ ନେଟ୍ୱର୍କ ମୂଳରୁ ନାହିଁ। ଯଦି ନେଟୱର୍କ ନ ଥିବ ତେବେ ଜଣେ ମୋବାଇଲ ଫୋନ୍ ବ୍ୟବହାର କରିପାରିବ ନାହିଁ। ଏଥିରୁ ସେଠାକାର ଲୋକଙ୍କ ସମସ୍ୟା କେତେ ଜଟିଳ ହୋଇଥିବ ତାହା ସହଜେ ଅନୁମେୟ। ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ କାଦୋମେରୀ ଗ୍ରାମ ପଞ୍ଚାୟତର କୋନ୍ଦାଢାପ ଗାଁରେ ମୋବାଇଲ ନେଟ୍ୱର୍କ ଉପଲବ୍ଧ ନ ଥିବାବେଳେ ଆମେ ସେଠାରେ ଉପନିର୍ବାଚନ ସ୍ଥିତି ସମ୍ପର୍କରେ ବୁଝିବାକୁ ଯାଇଥିଲୁ। ନିର୍ବାଚନ କଥା ପଚାରିବାବେଳେ ସେହି ଗାଁର ବହୁ ଯୁବତୀ ଓ ଯୁବକ ଆମକୁ ଘେରିଯାଇ କହିଥିଲେ, ଆଜ୍ଞା ନେତାମାନେ ଯେମିତି ଆସି ନିଜ ସ୍ବାର୍ଥପୂରଣ ପାଇଁ ବାକଚାତୁରି କଥା କହିଦେଇ ଯାଉଛନ୍ତି, ବର୍ତ୍ତମାନ ସମୟରେ ଗଣମାଧ୍ୟମ ଯଦି ନିଜ ଦାୟିତ୍ୱ ଭୁଲିଯାଏ, ତେବେ ଦେଶର ଅବସ୍ଥା ରସାତଳଗାମୀ ହେବାକୁ ଆଉ ବେଶିଦିନ ଲାଗିବ ନାହିଁ। ଏହି କ୍ରମରେ ନୂଆପଡ଼ା ବ୍ଲକ ଅନ୍ତର୍ଗତ କେନ୍ଦୁବାହାରା ପଞ୍ଚାୟତର ସିରଗିଡ଼ି, ଭଇଷାଦରା ଓ କେରମେଲି ପଞ୍ଚାୟତର କାଙ୍ଗେରମେଞ୍ଜି, ଗୋଳାବନ୍ଧ, ମାରାଗୁଡା ଆଦି ଗାଁକୁ ଯାଇ ନେଟ୍ୱର୍କ ବିଷୟରେ ବୁଝିଥିଲୁ। କେରମେଲିର ଲିଙ୍ଗରାଜ ମାଝୀ କହୁନ୍ତି, ଏଠାରେ ସୁବିଧା କହିଲେ କିଛି ନାହିଁ। ସବୁଠୁ ଦୁଃଖର ବିଷୟ ଏଠାରେ ମୋବାଇଲ ନେଟ୍ୱର୍କ ନାହିଁ। ଆମପିଲା ପାଠ ପଢ଼ିପାରୁନି। ସରକାର ବିଭିନ୍ନ ଜରୁରିକାଳୀନ ସେବା ପାଇଁ ଟୋଲଫ୍ରି ନମ୍ବର ଜାରି କରୁଛନ୍ତି। ଥରେ ଚିନ୍ତା କରନ୍ତୁ, ଏହି ଗାଁରେ ଦୁର୍ଭ୍ୟାଗ୍ୟବଶତଃ ଯଦି କାହା ଘରେ ନିଆଁ ଲାଗିଯାଏ, ଯଦି କାହାର କିଛି ହଠାତ୍ ଦେହ ଅସୁସ୍ଥ ହୋଇପଡ଼େ, ମୋବାଇଲ ନେଟୱର୍କ ବିନା ଆମ ଗାଁ ଲୋକ କ’ଣ କରିପାରିବେ। କେନ୍ଦୁବାହାରା ଓ କେରମେଲି ପଞ୍ଚାୟତର ହିତାଧିକାରୀମାନେ ରାଶନ ସାମଗ୍ରୀ ଆଣିବା ପାଇଁ ଯାଇ ହଟହଟା ହେଉଛନ୍ତି। ପଞ୍ଚାୟତ କର୍ମଚାରୀମାନେ ପାହାଡ଼ିଆ କିମ୍ବା ଢିପ ସ୍ଥାନକୁ ଯାଇ ନେଟୱର୍କ ସର୍ଚ୍ଚ କରୁଛନ୍ତି, ଯେଉଁଠାରେ ନେଟ୍ୱର୍କ ଆସେ ସେଠାରେ ରହି ହିତାଧିକାରୀଙ୍କ ଫିଙ୍ଗର ପ୍ରିଣ୍ଟ ନେଇଥାନ୍ତି। ପାହାଡ଼ ଉପରେ ହିତାଧିକାରୀମାନେ ଫିଙ୍ଗର ପ୍ରିଣ୍ଟ ଦେଇ ପଞ୍ଚାୟତକୁ ଯାଇ ଚାଉଳ ନେଇଥାନ୍ତି।