ଭୁବନେଶ୍ୱର/ନୂଆପଡ଼ା,୧୧ା୧୧(ରବିନାରାୟଣ ଜେନା/ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ମଙ୍ଗଳବାର ଶେଷ ହୋଇଛି। ସମ୍ବେଦନଶୀଳ ଏବଂ ସଖୀ ବୁଥ୍ ସମେତ ନିର୍ବାଚନମଣ୍ଡଳୀର ସମସ୍ତ ଅଞ୍ଚଳରେ ମତଦାନ ପ୍ରାୟ ଶାନ୍ତିପୂର୍ଣ୍ଣ ଭାବେ ହୋଇଛି। ରାତି ୯ଟା ପର୍ଯ୍ୟନ୍ତ ୭୯.୦୨ପ୍ରତିଶତ ମତଦାନ ସାବ୍ୟସ୍ତ ହୋଇଛି। ଏନେଇ ଇସିଆଇ ନେଟ୍ରେ ତଥ୍ୟ ଦର୍ଶାଯାଇଛି। ନୂଆପଡ଼ାବାସୀ ଏହି ଉପନିର୍ବାଚନରେ ପାଖାପାଖି ୮୦ ପ୍ରତିଶତ ମତସାବ୍ୟସ୍ତ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ସନ୍ଥ ଗୋପାଳନ କହିଛନ୍ତି।
ମଙ୍ଗଳବାର ସିଇଓ ଖବରଦାତା ସମ୍ମିଳନୀରେ କହିଛନ୍ତି, ନୂଆପଡ଼ାରେ ମୁକ୍ତ, ନିରପେକ୍ଷ ଏବଂ ସ୍ବଚ୍ଛ ଉପନିର୍ବାଚନ ସୁନିଶ୍ଚିତ କରିବା ପାଇଁ ସିଇଓଙ୍କ କାର୍ଯ୍ୟାଳୟରୁ ସିସିଟିଭି ମାଧ୍ୟମରେ ମତଦାନ ପ୍ରକ୍ରିୟାର ନିରନ୍ତର ତଦାରଖ କରାଯାଇଥିଲା। ନୂଆପଡାରେ ୧ଲକ୍ଷ ୨୪ହଜାର ୫୪୪ ପୁରୁଷ ଭୋଟରଙ୍କ ମଧ୍ୟରୁ ୮୧.୧୭ % ଭୋଟ ଦେଇଥିବାବେଳେ ୧ଲକ୍ଷ ୨୯ହଜାର ୯୩୨ ମହିଳାଙ୍କ ମଧ୍ୟରୁ ୭୬.୯୬ ପ୍ରତିଶତ ମହିଳା ଭୋଟ ଦେଇଛନ୍ତି। ସମୁଦାୟ ୨ଲକ୍ଷ ୫୪ହଜାର ୪୯୭ ମତଦାତାଙ୍କ ମଧ୍ୟରୁ ରାତି ୯ଟା ସୁଦ୍ଧା ୭୯.୦୨ ପ୍ରତିଶତ ମତଦାନ ହୋଇଛି। ସେ କହିଥିଲେ ଯେ, ଏହି ମତଦାନ ବେଳେ ଦୁଇଟି ସ୍ଥାନରେ ଗୁପ୍ତ ତଥ୍ୟ ପ୍ରଘଟ କରିବା ଅଭିଯୋଗରେ ଦୁଇଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବୁଥ୍ ନମ୍ବର ୩୬ କୁଲିଆବନ୍ଧାରେ ନିୟୋଜିତ ପ୍ରିଜାଇଡିଂ ଅଫିସର ତଥା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟର ଟିଜିଟି ଶିକ୍ଷକ ଧନଞ୍ଜୟ ମଲ୍ଲିକ ଏବଂ ବୁଥ୍ ନମ୍ବର ୪୬ ବିରୋମାଲରେ ଦ୍ୱିତୀୟ ପ୍ରିଜାଇଡିଂ ଅଫିସର ଭାବରେ ନିୟୋଜିତ ଥିବା ସିନାପାଲ୍ଲୀ ବ୍ଲକର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଟିମନପୁରର ଟିଜିଟି ଶିକ୍ଷକ ସନ୍ଦୀପ କୁମାର ସ୍ବାଇଁ। ଗୋପନୀୟତା ଉଲ୍ଲଂଘନ କରିବା ଅଭିଯୋଗରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି।
ସିଇଓଙ୍କ ସୂଚନା ଅନୁଯାୟୀ, ବୁଥ୍ ନମ୍ବର ୨୪୬ ଏବଂ ୨୯୮ରେ ଇଭିଏମ୍ ଓ ଭିଭିପିଏଟି ପରିବର୍ତ୍ତନ କରାଯାଇଛି। ୨୪୬ ନମ୍ବର ବୁଥ୍ରେ ଇଭିଏମ୍ (୧-ବିୟୁ, ୧ସିୟୁ, ୧ ଭିଭିପିଏଟି) ପରିବର୍ତ୍ତନ କରାଯାଇଥିବାବେଳେ ବୁଥ୍ ନମ୍ବର ୨୯୮ରେ ଭିଭିପିଏଟି ବଦଳାଯାଇଛି। ଏହାସହିତ ବୁଥ୍ ନମ୍ବର ୮୦ରେ ୧-ବିୟୁ, ୧ସିୟୁ ଏବଂ ୧ ଭିଭିପିଏଟି ମେଶିନ ପରିବର୍ତ୍ତନ କରାଯାଇଛି।