ଫଳାଫଳ କାଉନ୍‌ଡାଉନ୍‌ ଆରମ୍ଭ: ରାତିପାହିଲେ ମିଳିବ ନୂଆ ନେତା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ୧୯୫୧ଠାରୁ ୨୦୨୪ ପର୍ଯ୍ୟନ୍ତ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୮ ଜଣ ନେତାଙ୍କୁ ପରଖିଲେଣି ନୂଆପଡ଼ା ମତଦାତା। ଓଡ଼ିଶା ବିଧାନସଭା ନିର୍ବାଚନ ଆରମ୍ଭ ହେବାଠାରୁ ୨୦୨୪ ପର୍ଯ୍ୟନ୍ତ ଅନୁପ ସିଂଦେଓ, ଚୈତନ୍ୟ ମାଝି, ଜଗନ୍ନାଥ ପଟ୍ଟନାୟକ, ଓମ୍‌କାର ସିଂ ମାଝି, ଭାନୁ ପ୍ରତାପ ଜୋଷୀ, ଘାସିରାମ ମାଝି, ବସନ୍ତ କୁମାର ପଣ୍ଡା ଓ ରାଜେନ୍ଦ୍ର ଢୋଲକିଆଙ୍କ ଭଳି ବିଧାୟକମାନଙ୍କୁ ନୂଆପଡ଼ା ବିଧାନସଭାରେ ପ୍ରତିନିଧିତ୍ୱ କରିବା ପାଇଁ ଲୋକେ ସୁଯୋଗ ଦେଇଛନ୍ତି। ୨୦୨୫ ଉପନିର୍ବାଚନରେ ପୁଣି ଜଣେ ନୂଆ ଚେହେରାକୁ ବିଧାୟକ କରିବାକୁ ଯାଉଛନ୍ତି ନୂଆପଡ଼ା ଭୋଟର।

୧୯୬୧ରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ଘାସିରାମ ମାଝି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ସେହିପରି ୧୯୭୧ରେ ସେ ସ୍ବତନ୍ତ୍ର ପାର୍ଟି, ୧୯୭୭ରେ ଜନତା ଦଳରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ପରେ ୧୯୮୫, ୧୯୯୦ ଓ ୧୯୯୫ରେ କ୍ରମାଗତ ଭାବେ ସେ ବିଧାୟକ ଭାବରେ ବିଜୟୀ ହୋଇ ଓଡ଼ିଶା ସରକାରଙ୍କ ମନ୍ତ୍ରୀ ମଧ୍ୟ ରହିଥିଲେ। ୧୯୯୭ ଏପ୍ରିଲ ୨୩ରେ ମାଝିଙ୍କ ବିୟୋଗ ହେବାରୁ ନୂଆପଡ଼ା ଉପନିର୍ବାଚନ ହୋଇଥିଲା। ଏଥିରେ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ବିଜୟୀ ହୋଇଥିଲେ।

୨୦୨୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ଗତ ୧୧ତାରିଖରେ ଏଠାରେ ଉପନିର୍ବାଚନ ହୋଇଛି। ଏଥିରେ ୩ ପ୍ରମୁଖ ଦଳ ସହ ମୋଟ ୧୪ ଜଣ ପ୍ରାର୍ଥୀ ହୋଇଛନ୍ତି। ଶୁକ୍ରବାର ଫଳାଫଳ ଘୋଷଣା ପରେ ନୂଆ ଚେହେରା କିଏ ତାହା ସ୍ପଷ୍ଟ ହେବ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷେ ସମୁଦାୟ ୩୫୮ ବୁଥରେ ମତଦାନ ହୋଇଥିବା ବେଳେ ୨୬ ରାଉଣ୍ଡରେ ଭୋଟ ଗଣତି ହେବ ବୋଲି ନୂଆପଡ଼ା ଜିଲାପାଳ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share