୨ ଦଳ ପାଇଁ ପ୍ରଚାର କରୁଛନ୍ତି ‘ଢୋଲକିଆ’

ନୂଆପଡ଼ା,୨୩ା୧୦ (ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବଢିବାରେ ଲାଗିଛି। ପ୍ରଚାର ଅଭିଯାନକୁ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଜୋରଦାର କରିବାରେ ଲାଗିଛନ୍ତି। କିଏ ସଭା ସମିତି କରି ଭୋଟ ମାଗୁଛନ୍ତି ତ ଅନ୍ୟ କିଏ ରୋଡ୍‌ ଶୋ’ କରି ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ଏପରି ସମୟରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ନାମରେ ଦୁଇ ଦଳର ପ୍ରଚାର ଭୋଟରଙ୍କୁ ଦ୍ୱନ୍ଦ୍ୱରେ ପକାଉଛି।
ଜାତୀୟ କଂଗ୍ରେସ ପ୍ରଥମେ ଘାସିରାମ ମାଝିଙ୍କୁ ପ୍ରାର୍ଥୀ ଘୋଷଣା କରି ପ୍ରଚାର କାର୍ଯ୍ୟ ଜୋରଦାର କରିଛି। ଅନ୍ୟପଟେ ସ୍ବର୍ଗତ ଢୋଲକିଆ ବିଜୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବରେ ବିଜୟୀ ହୋଇଥିବାରୁ ସେହି ଅନୁସାରେ ତାଙ୍କ ପୁଅ ଜୟ ଢୋଲକିଆ ମଧ୍ୟ ବିଜେଡିରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଥିଲା। ହେଲେ ସେ ଭାଜପାରେ ମିଶି ପ୍ରାର୍ଥୀ ହେବା ପରେ ବିଜେଡିର ସବୁ ଅଙ୍କ ଓଲଟପାଲଟ ହୋଇଯାଇଥିଲା। ଜୟ ପ୍ରାର୍ଥୀ ହେବା ପରେ ଢୋଲକିଆଙ୍କ ଅଧିକାଂଶ ସମର୍ଥକ ଭାଜପାରେ ଯୋଗ ଦେଲେ। କିନ୍ତୁ ଭାଜପାରେ ପୂର୍ବରୁ ଥିବା ପୁରୁଖା କାର୍ଯ୍ୟକର୍ତ୍ତା ଜୟଙ୍କୁ ସହଜରେ ଗ୍ରହଣ କରୁ ନ ଥିବା ଦେଖାଯାଉଛି। ଏହାର କାରଣ ସମ୍ପର୍କରେ ଶୁଣିବାକୁ ମିଳୁଛି, ଜୟ ଖରିଆର ରୋଡ୍‌ ନିଜ ବାସଭବନରେ ଥାଇ ସବୁ କାର୍ଯ୍ୟ କରିବା ସହ ମିଶ୍ରଣ ପର୍ବ କରୁଛନ୍ତି। କିନ୍ତୁ ଭାଜପାର ପୁରୁଖା କର୍ମକର୍ତ୍ତା ଜିଲା କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ କରୁଛନ୍ତି। ସେପଟେ ଉଭୟ କଂଗ୍ରେସ ଓ ଭାଜପା ପ୍ରାର୍ଥୀ ଘୋଷଣା କଲା ପରେ ଅନ୍ୟ ଦଳର ସମର୍ଥକମାନେ ଏହି ଦୁଇ ଦଳକୁ ଢଳିବାରେ ଲାଗିଲେ। ଏହାକୁ ଦେଖି ରାଜନୈତିକ ସମୀକ୍ଷକ ଭାଜପା ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ମତ ଦେଇଥିଲେ। କିନ୍ତୁ ବିଜେଡି ପ୍ରାର୍ଥତ୍ନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରାର୍ଥତ୍ପତ୍ର ଦାଖଲ କରିବା ସମୟରେ ଦଳର ହେଭିୱେଟ ନେତା ଆସି ନୂଆପଡ଼ାରେ ଡେରା ପକାଇବା ପରଠାରୁ ରାଜନୀତି ଦୃଶ୍ୟପଟ ବଦଳିଯାଇଛି। ବର୍ତ୍ତମାନ ତ୍ରିମୁଖୀ ଲଢେଇ ହେବ ବୋଲି ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଦୁଇ ପ୍ରମୁଖ ଦଳ ଭାଜପା ଓ ବିଜେଡି ସ୍ବର୍ଗତ ଢୋଲକିଆଙ୍କ ନାମରେ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଜୟ ତାଙ୍କ ବାପାଙ୍କ ନାମ ଧରି ପ୍ରଚାର କରୁଥିବା ବେଳେ ବିଜେଡି ସ୍ବର୍ଗତ ଢୋଲକିଆ ବିଜେଡିରେ ଥାଇ ଜିଲାର ବିକାଶ କରିଛନ୍ତି ବୋଲି କହୁଛନ୍ତି। ବର୍ତ୍ତମାନ ଉଭୟ ଦଳ ଢୋଲକିଆଙ୍କ ନାମ ନେଉଥିବାରୁ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି।

Share