ନୂଆପଡ଼ା ଉପନିର୍ବାଚନ: ଭାଷା ପ୍ରତି ନାହିଁ ଆନ୍ତରିକତା

ନୂଆପଡ଼ା,୬ା୧୧ (ପୀତାମ୍ବର ସାହୁ): ଏବେ ଉପନିର୍ବାଚନ ପାଇଁ ନୂଆପଡ଼ାରେ ସାରା ରାଜ୍ୟରୁ ବିଭିନ୍ନ ଦଳର ମାଳ ମାଳ ନେତା ଡେରା ପକାଇଛନ୍ତି। ଏଠାକାର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ଆସନ୍ତା ୧୧ ତାରିଖରେ ଉପନିର୍ବାଚନ ହେବ। ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝୀଙ୍କ ସମେତ ସମୁଦାୟ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ପ୍ରଚାର ପାଇଁ ରାଜ୍ୟର ଅଧିକାଂଶ ସାଂସଦ, ବିଧାୟକ, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ଏମ୍‌ପି, ହେଭିୱେଟ ନେତା ଓ କର୍ମୀ ପ୍ରଚାର ପାଇଁ ଆସିଛନ୍ତି। ପ୍ରତିଦିନ ସକାଳୁ ଆରମ୍ଭ ହେଉଥିବା ପ୍ରଚାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲୁଛି। ପ୍ରଚାର ସମୟରେ ଏଠାରେ ଉପକୂଳ ନେତାଙ୍କ ସମେତ ରାଜ୍ୟର ଅନ୍ୟ ପ୍ରାନ୍ତର ନେତାଙ୍କ ପାଇଁ ସ୍ଥାନୀୟ ଭାଷା ଏକ ବଡ଼ ସମସ୍ୟା ଭାବେ ଉଭା ହେଉଛି। ଏଠାକାର ପ୍ରାୟ ଅନେକ ସ୍ଥାନରେ ଲୋକେ ଛତିଶଗଡୀ ଲରିଆ ଭାଷାରେ କଥାବାର୍ତ୍ତା ହେଉଛନ୍ତି। ଆମେ ମଧ୍ୟ ଏଠାକୁ ଉପନିର୍ବାଚନ ଖବର ସଂଗ୍ରହ ପାଇଁ ଆସି ଲୋକଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛୁ। ଏହି ସମୟରେ ଛତିଶଗଡ଼ ସୀମାନ୍ତ ଗ୍ରାମରେ ସତେ ଯେମିତି ଓଡ଼ିଆ ଭାଷା ପ୍ରତି ଏମାନଙ୍କ ଆଦର ନ ଥିବା ଦେଖିବାକୁ ପାଇଲୁ।
ବିଭିନ୍ନ ଦଳର ନେତା ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ ମଧ୍ୟ କେହି ଯେମିତି କାହିଁକି ଏହି ଅଞ୍ଚଳର ଲୋକେ ଓଡ଼ିଆ ଭାଷାକୁ ଆଗ୍ରହ କରୁନାହାନ୍ତି ତାହା ଜଣାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁନାହିଁ। ଯେଭଳି ଭାବେ ଲୋକେ ଛତିଶଗଡୀ ଲରିଆ ଓ ହିନ୍ଦୀ ଭାଷା ବ୍ୟବହାର କରୁଛନ୍ତି, ଯଦି ଜଣେ ଦେଖିବ ପ୍ରକୃତରେ ଏହିସବୁ ଅଞ୍ଚଳ ଓଡ଼ିଶା ନୁହେଁ ବରଂ ଛତିଶଗଡ଼ର କହିବ ବୋଲି ଜଣେ ବିଜେଡି ଯୁବନେତା ପ୍ରକାଶ କରିଛନ୍ତି।
ଛତିଶଗଡକୁ ଲାଗି ରହିଛି ନୂଆପଡ଼ା ଜିଲା। ଜିଲାରେ ନୂଆପଡ଼ା, କୋମନା, ଖଡିଆଳ ଓ ଖରିଆର ରୋଡ୍‌ ଆଦି ଛୋଟ ଛୋଟ ସହର ଅଛି। ଏଠାରେ ପ୍ରାୟତଃ ସବୁ ଜିନିଷ ମିଳି ନ ଥାଏ। ତେଣୁ ପ୍ରାୟତଃ ଜିନିଷ ପାଇଁ ଛତିଶଗଡ଼ ଉପରେ ଲୋକେ ନିର୍ଭର କରନ୍ତି। ଚିକିତ୍ସା କିମ୍ବା ଉଚ୍ଚଶିକ୍ଷା ପାଇଁ ରାୟପୁର, ମହାସମୁନ୍ଦ ଭଳି ଛତିଶଗଡ଼ର ସହର ଉପରେ ନିର୍ଭର କରିଥାନ୍ତି। ଛତିଶଗଡକୁ ଅଧିକ ସଂଯୋଗ ରହୁଥିବାରୁ ଏଠାକାର ଲୋକେ ହିନ୍ଦୀ ଓ ଛତିଶଗଡୀ ଲରିଆ ଭାଷାର ବହୁଳ ବ୍ୟବହାର କରନ୍ତି ବୋଲି କାଦୋମେରୀ ପଞ୍ଚାୟତ ଗୁଡାପଦର ଗ୍ରାମର ଶୈଳେଶ ପଟେଲ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳକୁ ପ୍ରାୟତଃ ଛତିଶଗଡ଼ ଅଞ୍ଚଳର ବ୍ୟବସାୟୀ ଆସି ବ୍ୟବସାୟ କରିଥାନ୍ତି। ତେଣୁ ଅଧିକାଂଶ ହିନ୍ଦୀ ଓ ଲରିଆ ଭାଷା କୁହନ୍ତି ବୋଲି ପଞ୍ଚମପୁରର ସୋମନାଥ ଦେବାଙ୍ଗନ କହିଛନ୍ତି।
ଏହି ଅଞ୍ଚଳର ଗାଁ ଓ ସହରର କାନ୍ଥ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ, ଘରୋଇ ସ୍କୁଲ କଲେଜରେ ହିନ୍ଦୀ, ଇଂଲିଶରେ ସୂଚନା ଓ ନାମଫଳକ ଲେଖାଯାଇଥିବା ଦେଖିବାକୁ ମିଳୁଛି। ବିଭିନ୍ନ ସରକାରୀ ଅନୁଷ୍ଠାନ ଓ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଥିବା ବେଳେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଅନ୍ୟଭାଷାରେ ନାମ ଫଳକ କିମ୍ବା ସୂଚନା ଲେଖିଲେ ମଧ୍ୟ ଓଡ଼ିଆ ଲେଖିବା ଜରୁରୀ ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ କରିଛନ୍ତି। ମାତ୍ର ଏଠାରେ ତାହାର ଖୋଲା ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳୁଛି। ଅନେକ ଗ୍ରାମରେ ପୁରୁଷମାନେ ସ୍ଥାନୀୟ ଓଡ଼ିଆ (କୋଶଳୀ/ସମ୍ବଲପୁରୀ) ଭାଷା କହିପାରୁଥିଲେ ମଧ୍ୟ ମହିଳାମାନେ ଓଡ଼ିଆ ଭାଷା ଆଦୌ କହିପାରୁ ନାହାନ୍ତି। ଏଠାକାର ବିଭିନ୍ନ ସ୍କୁଲରେ ଓଡ଼ିଆ ଭାଷାରେ ପାଠପଢା ହେଉଥିଲେ ମଧ୍ୟ ପିଲାମାନେ ସ୍କୁଲ ପରେ ଆଉ ଓଡ଼ିଆ ଭାଷାରେ କଥାବାର୍ତ୍ତା ନ ହୋଇ ଲରିଆ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି ବୋଲି ଚୁହ୍ଲାଭାଟ ପଞ୍ଚାୟତ ଗଙ୍ଗାଦିଗଡ ଗ୍ରାମର ନରସିଂହ ମାଝୀ ପ୍ରକାଶ କରିଛନ୍ତି।
ନୂଆପଡାରେ ଥିବା ସମୁଦାୟ ୬୩ ପଞ୍ଚାୟତ ମଧ୍ୟରୁ ପ୍ରାୟ ୪୦ରୁ ଅଧିକ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଛତିଶଗଡ଼ୀ ଲରିଆ ଭାଷାରେ ଲୋକେ କଥାବାର୍ତ୍ତା ହୋଇଥାନ୍ତି। ନୂଆପଡ଼ା ବ୍ଲକର ସାରାବଙ୍ଗ, କେନ୍ଦୁବାହାର, ଆମନଆରା, ମୋଟାନୂଆପଡ଼ା, ଧରମବନ୍ଧା, ଭରୁଆମୁଣ୍ଡା, ଚୁହ୍ଲାଭଟା, ଭେରା, ଡୁମେରପାଣି, ଭାଲେଶ୍ୱର, ବେଲଟୁକୁରୀ, କାଦୋମେରୀ, ବିଶୋରା, ଭାନପୁର, ବୋଇରଭାଡି, ଖଇରାନୀ, ଜାମପାଣି, କୋଟେନଚୁଆଁ, ଟାନୱାଟ ସମେତ ନୂଆପଡ଼ା ସଦର ଓ ଖରିଆର ରୋଡ୍‌ରେ ମଧ୍ୟ ପ୍ରାୟତଃ ଅଧିକାଂଶ ଲୋକ ଲରିଆ ଭାଷା ବ୍ୟବହାର କରିଥାନ୍ତି। ସେହିପରି କୋମନା ବ୍ଲକର କୁରୁମପୁରୀ, ସମରସିଙ୍ଗ, ଲଖନା, ମୁଣ୍ଡାପଡ଼ା, ତରବୋଡ, ଜଡ଼ାମୁଣ୍ଡା, ପେଣ୍ଡ୍ରାବନ୍ଦ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବହୁଳ ଭାବେ ଲରିଆ ଭାଷାରେ ଲୋକେ କଥାବାର୍ତ୍ତା ହୋଇଥାନ୍ତି। ଏବେ ଉପନିର୍ବାଚନ ପ୍ରଚାର ବେଳେ କାନ୍ଥବାଡ଼, ପୋଷ୍ଟର, ବ୍ୟାନରରେ ହିନ୍ଦୀ ଭାଷାରେ ଲେଖାଯାଉଛି। ଗୀତ ମଧ୍ୟ ଲରିଆ ଭାଷାରେ ପ୍ରସ୍ତୁତ କରାଯାଇ ପ୍ରଚାର କରାଯାଉଛି। ଏଠାରୁ ବିଭିନ୍ନ ଦଳର ପ୍ରତିନିଧି ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ କେହି ବି ଓଡ଼ିଆ ଭାଷାର ପ୍ରସାର ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ସ୍ଥାନୀୟ ନେତାମାନେ ଏବେ ପ୍ରଚାର ବେଳେ ଓଡ଼ିଆ ଭାଷା ପରିବର୍ତ୍ତେ ଛତିଶଗଡୀ ଭାଷାରେ ଭାଷଣ ଦେଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଦୀର୍ଘଦିନ ଧରି ଶାସନରେ ଥିବା କଂଗ୍ରେସ ଓ ବିଜେଡି କେବେହେଲେ ଏଠାରେ ଓଡ଼ିଆ ଭାଷାର ବ୍ୟବହାର ଓ ଏଥିପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ପାଇଁ ସେମିତି କିଛି ପ୍ରୟାସ କରି ନ ଥିବାବେଳେ ଓଡ଼ିଆ ଅସ୍ମିତାର କଥା କହି ସରକାରକୁ ଆସିଥିବା ଭାଜପା ଏଠାରେ ନିଜ ଦଳର ପ୍ରାର୍ଥୀଙ୍କ ପ୍ରଚାର ବେଳେ ଦଳର ନେତାମାନେ ଛତିଶଗଡୀ ଲରିଆ ଭାଷାରେ ଭାଷଣ ଦେବା ଓଡ଼ିଆ ଭାଷା ପ୍ରତି ତାଙ୍କର କେତେ ଦରଦ ତାହା ସ୍ପଷ୍ଟ ଜଣାପଡୁଛି।