ନୂଆପଡ଼ା,୧୧।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଛି।
ଭୋଟିଂ ସ୍ଥାନ ଗୁଡିକରେ ସକାଳ ୭ଟାରୁ ଗହଳି ଦେଖିବାକୁ ମଳିଛି। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସମେତ ମୋଟ୍ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଛି। ଦୁଇଟି ଏନ୍ଏସି ଏବଂ ୨ଟି ବ୍ଲକକୁ ନେଇ ଗଠିତ ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍ ୩୫୮ଟି ବୁଥ୍ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି। ତେବେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ସାଧାରଣ ଭୋଟ୍ ଗ୍ରହଣ କେନ୍ଦ୍ରରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ ବୋଲି ଜିଲା ନିର୍ବାଚନ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମାଓବାଦୀ ପ୍ରଭାବିତ ବୁଥ୍ ମଧ୍ୟରୁ ୮ଟି ଦୁର୍ଗମ ପାହାଡିଆ ଅଞ୍ଚଳରେ ରହିଛି। ସେଗୁଡ଼ିକ ହେଉଛି ୩୨୦-ସୋସେଙ୍ଗ, ୩୨୧- ସୋସେଙ୍ଗ(୨), ୩୨୨ ଦେଓସିଲ, ୩୨୪ ସୁନାବେଡ଼ା(୧), ୩୨୫ ସୁନାବେଡ଼ା ୧(କ), ୩୨୬ ଜାମଗାଁ, ୩୨୭ ଗୋତିବେଡ଼ା ଓ ୩୨୮ ଗୋତିବେଡା(୨) ରହିଛି। ଏହି ବୁଥ୍ଗୁଡ଼ିକ ଅତି ସମ୍ବେଦନଶୀଳ ହୋଇଥିବାରୁ ପୋଲିଂପାର୍ଟି ସୁରକ୍ଷିତ ଯିବା ସହିତ ଶାନ୍ତିଶୃଙ୍ଖଳାର ସହ ଭୋଟ ଗ୍ରହଣ କରି ଫେରିବା ପାଇଁ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯାଇଛି। ମାଓବାଦୀ ପ୍ରଭାବିତ ୮ ବୁଥ୍ ଲାଗି ୬ ଜଣ ଲେଖାଏ ମୋଟ୍ ୪୮ ଜଣ ପୋଲିଂପାର୍ଟି ନିୟୋଜିତ ହୋଇଛନ୍ତି। ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଥରକରେ ୬ ଜଣ ଲେଖା ୮ଥରରେ ପୋଲିଂପାର୍ଟିକୁ ଦୁର୍ଗମ ଅଞ୍ଚଳରେ ଥିବା ବୁଥ୍ରେ ସୁରକ୍ଷିତ ଛଡ଼ାଯାଇଛି।