ନୂଆପଡା, ୨୮।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାମୁହିକ ନୂଆଖାଇ ପାଳିତ ହୋଇଛି। ନୂଆଖାଇ ଭେଟଘାଟ ଉତ୍ସବରେ ସମ୍ବଲପୁରୀ ଦଳଗତ ନୃତ୍ୟ ଦର୍ଶକଙ୍କ ମନ ମୋହିଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ସାଂସ୍କୃତିକ ଅନୁଷ୍ଠାନର ସାମୁହିକ ନୂଆଖାଇ ତିହାର୍ ପାଳିତ ହେଉଥିବା ବେଳେ ସମଗ୍ର ଖଡିଆଳ ଏକାଠି ନୂଆଖାଇ ପାଳନ କରିଥାଏ। ଘରେ ଘରେ ନୂଆଖାଇ ପାଳିତ ହୋଇଥାଏ। କୌଣସି କାରଣ ବଶତଃ ବଳକା ରହିଯାଇଥିବା ଅଧିବାସୀମାନେ ଆସି ଅନୁଷ୍ଠାନରେ ସାମୁହିକ ଭାବରେ ନୂତନ ଶସ୍ୟ, ବା ଫଳକୁ ଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଥାଏ। ସମସ୍ତଙ୍କୁ ନେଇ ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଖାଇ ପାଳନର ଅନନ୍ୟା ପରମ୍ପରା ପାଳିତ ହୋଇଆସୁଛି। ଗୁରୁବାର ସାମୁହିକ ନୂଆଖାଇ ପର୍ବରେ ମୁଖ୍ୟ ଅତିଥି ରୂପେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ମହନୀୟ ସଂସ୍କୃତି, ମହାନ ପରମ୍ପରାରେ ଗଣପର୍ବ ନୂଆଖାଇ ବିଶ୍ବବ୍ୟାପି ହେବାକୁ ବସିଛି ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନ ସଭାପତି ଜିତେନ୍ଦ୍ର ନାଥ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ରୂପେ ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି ଯୋଗ ଦେଇଥିଲେ। ସାଂସ୍କୃତିକ ସମ୍ବଲପୁରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


