ନୂଆଦିଲ୍ଲୀ,୧୩।୧: ଓଡ଼ିଶାରେ ପ୍ରତିଷ୍ଠା ହେବ ଅଭିନେତା ତିଆରି କାରଖାନା। ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (NSD) ର ଏକ ରାଜ୍ୟସ୍ତରୀୟ ଶାଖା କେନ୍ଦୁଝର ଜିଲାରେ ପ୍ରତିଷ୍ଠା ହେବ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବଡ଼ ଘୋଷଣା କରିଛନ୍ତି।
କେନ୍ଦୁଝର ସହରରେ NSD ଏବଂ ନୃତ୍ୟ ଏକାଡେମୀ ‘ସ୍ପିରାଜା’ର ମିଳିତ ସହଯୋଗରେ ଆୟୋଜିତ ଏକ ନାଟକ କର୍ମଶାଳାକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଥିଲେ। କେନ୍ଦ୍ର ସରକାରଙ୍କ ସହାୟତାରେ ଏହି ଶାଖା ସ୍ଥାପନ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କଳା ଏବଂ ସଂସ୍କୃତି ହେଉଛି ସମାଜର ଆତ୍ମା, ଯାହା ମଣିଷର ଚିନ୍ତାଧାରା, ସଂଘର୍ଷ ଏବଂ ସ୍ୱପ୍ନକୁ ପ୍ରତିଫଳିତ କରିଥାଏ। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଗଞ୍ଜାମର ଯାତ୍ରା ଓ ଦଣ୍ଡ ନାଟ ଏବଂ ମୟୂରଭଞ୍ଜର ପ୍ରସିଦ୍ଧ ଛଉ ନୃତ୍ୟ ଭଳି କଳା ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏମପି ଅନନ୍ତ ଚରଣ ନାୟକ, ବିଧାୟକ ପଦ୍ମ ଚରଣ ହାଈବୁରୁ ଓ ଫକୀର ମୋହନ ନାୟକଙ୍କ ସମେତ ବହୁ ବରିଷ୍ଠ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।