ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ଲୋକେ ଅଫିସରଙ୍କ ପାଖକୁ ଗୁହାରି କରିବାକୁ ସହରକୁ ଆସିବେ ନାହିଁ। ଅଫିସର ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବେ। ତେଣୁ ଜିଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉପଜିଲାପାଳ, ବିଡିଓ, ତହସିଲଦାର, ଆଇଆଇସି ସମେତ ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ଗୁହାରି ଶୁଣିବେ। ତେଣୁ ଏହା ପୂର୍ବରୁ ଲୋକେ ଇ-ନିବେଦନ ପୋର୍ଟାଲରେ ଆବେଦନ କରିବେ। ପ୍ରତି ୭ ଦିନକୁ ଥରେ ଅଭିଯୋଗପତ୍ର ଉପରେ ସମୀକ୍ଷା ହେବ। ଆସନ୍ତା ସୋମବାରଠାରୁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। କେଉଁ ସୋମବାର କେଉଁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ହେବ ତାହା ଅଫିସରମାନେ ଧାର୍ଯ୍ୟ କରିବେ।
ଉପ ଜିଲାପାଳ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ତଦାରଖ କରିବେ। ଏଥିସହ ଜିଲାପାଳ କେଉଁ ସୋମବାର କେଉଁ ବ୍ଲକ ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କରିବେ ତାହାର ମଧ୍ୟ ଡିସେମ୍ବର ପର୍ଯ୍ୟନ୍ତ ସୂଚୀ ବାହାର କରିଛନ୍ତି।
ଅନ୍ୟପଟେ ରାଜସ୍ବ ଅମଲା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗତ ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ଉପଜିଲାପାଳ, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଛି। କିରାଣିମାନେ ଆନ୍ଦୋଳନ କରିବାରୁ ଫାଇଲ ଆଉ ଅନ୍ୟ ଟେବୁଲକୁ ଘୁଞ୍ଚି ପାରୁନାହିଁ। ଯାହାକୁ ନେଇ ଆଜକୁ ୪ ଦିନ ହେବ କାର୍ଯ୍ୟାଳୟଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଛି। ଲୋକେ ସରକାରୀ ସେବା ପାଇ ନ ପାରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଅପରପକ୍ଷେ ପ୍ରଶାସନ ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବା ପ୍ରକ୍ରିୟା ଯେଉଁ ଆରମ୍ଭ କରୁଛନ୍ତି ତାକୁ ନେଇ ଲୋକେ ଖୁସିବ୍ୟକ୍ତ କରିଛନ୍ତି।
ରାଜସ୍ବ ଅମଲା ସଂଘ ଭଞ୍ଜନଗର ଶାଖା କର୍ମଚାରୀମାନେ ଆନ୍ଦୋଳନକୁ ଯିବା ପୁର୍ବରୁ ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରି ସମୂହ ଛୁଟିରେ ଯାଇଛନ୍ତି।