ନଭେମ୍ବର ୧୭ ଓଡ଼ିଆ ସଂଗୀତ ଜଗତ ପାଇଁ ବ୍ଲାକ୍ ଡେ, ସେଦିନ ଅକ୍ଷୟ ଆଜି ହ୍ୟୁମାନଙ୍କ ପରଲୋକ

ଭୁବନେଶ୍ୱର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲେଖା ଯିବ। ନଭେମ୍ବର ୧୭ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ଘଟିଥିବା ବେଳେ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ନଭେମ୍ବର ୧୭, ୨୦୦୨ରେ ସର୍ବକାଳୀନ ଲୋକପ୍ରିୟ ଗାୟକ ଓ ସଙ୍ଗୀତର ମଉଡମଣୀ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା। ଏହିପରି ଦୁଇ ମହାନ କଳାକାରଙ୍କ ବିୟୋଗ ଗୋଟିଏ ତାରିଖରେ ଘଟିବା ଓଲିଉଡରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି।

୩୪ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ଘଟିଛି। ସୋମବାର ସନ୍ଧ୍ୟା ୯:୦୮ ମିନିଟରେ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ (MODS) ସହ ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ।

ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଗତ ନଭେମ୍ବର ୧୪ ତାରିଖ ଦିନ ଏମ୍ସର ଏମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା, କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଉନ୍ନତ ଚିକିତ୍ସା ସତ୍ତ୍ୱେ କୌଣସି ସୁଧାର ଆସିନଥିଲା। ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ନେବାକୁ ପରିବାର ଯୋଜନା କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକ୍ତରମାନଙ୍କ ସହ ଆଲୋଚନା କରି ସହାୟତାର ଆଶ୍ୱାସନା ଦେଇଥିଲେ।

ବଲାଙ୍ଗୀର ଜିଲାର ଟିଟିଲାଗଡ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ। ୨୦୧୫ରେ ‘ଇଶ୍କ୍ ତୁହେଁ ହୀ ତୁହେଁ’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ଓଲିଉଡରେ ପାଦ ଦେଇଥିଲେ। ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ସ୍ଥାନ ପାଇଥିଲା।

ମୁଖ୍ୟମନ୍ତ୍ରୀ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ଯେ ହ୍ୟୁମାନଙ୍କ ଦେହାନ୍ତ ଓଡ଼ିଶାର ସଙ୍ଗୀତ ଓ ଚଳଚ୍ଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସଙ୍ଗୀତ ଜଗତର ଅନେକ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Share