ଭୁବନେଶ୍ୱର, ୨୩ା୫ (ଅନୁରାଧା ମହାରଣା)- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ୨ ଇନ୍ଷ୍ଟାଣ୍ଟ ପରୀକ୍ଷା ଜୁନ୍ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ମେ ୨୮ରୁ ଜୁନ୍ ୨ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଚାଲିବ। ଜୁନ୍ ୨ ଓ ୩ ତାରିଖରେ ଦେୟ ପୈଠ କରିବାକୁ ପଡ଼ିବ। ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଏଗ୍ରିଗେଟ୍ରେ ପାସ୍ ମାର୍କ ୨୧୦ ରଖିଥିବେ ଏବଂ ମାତ୍ର କୌଣସି ଗୋଟିଏ ବିଷୟରେ ଫେଲ୍ ହୋଇଥିଲେ, ଇନ୍ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ। ୨୦୨୫ ଶିକ୍ଷାବର୍ଷରେ ଯେଉଁ କମ୍ପାର୍ଟମେଣ୍ଟାଲ ପରୀକ୍ଷାର୍ଥୀ କୌଣସି ବିଷୟରେ ପରୀକ୍ଷା ଦେଇ ଫେଲ୍ ହୋଇଥିଲେ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ। ସେହିପରି କୌଣସି ପରୀକ୍ଷାର୍ଥୀ ଏକ ବିଷୟର ଉଭୟ ପ୍ରାକ୍ଟିକାଲ କିମ୍ବା ଥିଓରୀରେ ଫେଲ୍ ହୋଇଥିଲେ ତାଙ୍କୁ ଉଭୟ ପରୀକ୍ଷା ଦେବାକୁ ହେବ। ଥିଓରୀରେ ଫେଲ୍ ହୋଇ ପ୍ରାକ୍ଟିକାଲରେ ପାସ୍ ହୋଇଥିଲେ, କେବଳ ଥିଓରୀ ପରୀକ୍ଷା ଦେବାକୁ ହେବ। ସେହିପରି ପ୍ରାକ୍ଟିକାଲରେ ଫେଲ୍ ହୋଇ ଥିଓରୀରେ ପାସ୍ ହୋଇଥିଲେ, କେବଳ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ହେବ। ତେବେ ପରୀକ୍ଷାରେ କପି କରି ଧରାପଡ଼ିଥିଲେ କିମ୍ବା ପରୀକ୍ଷା ପଳ ସ୍ଥଗିତ ରହିଥିଲେ ଉକ୍ତ ପରୀକ୍ଷାର୍ଥୀ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେଇପାରିବେ ନାହିଁ।


