ମେଶିନରୁ ବାହାରିଲାନି ଟିକେଟ, ନନ୍ଦନକାନନରେ ପର୍ଯ୍ୟଟକ ହନ୍ତସନ୍ତ

ବାରଙ୍ଗ,୧।୧୨(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମେଶିନରୁ ବାହାରିଲାନି ଟିକେଟ। ଫଳରେ ଦୀର୍ଘ ସମୟ ଧାଡ଼ିରେ ଛିଡ଼ାହୋଇ ପର୍ଯ୍ୟଟକମାନେ ହନ୍ତସନ୍ତ ହୋଇଥିବା ଜଣାପଡିଛି। ନନ୍ଦନକାନନର ସର୍ଭର ଡାଉନ ରହିଥିଲା ଯାହାଫଳରେ ସକାଳ ପ୍ରାୟ ୮.୧୦ରୁ ୧୦.୧୫ ପର୍ଯ୍ୟନ୍ତ ଏଭଳି ଟିକେଟ କରିବାେରେ ତ୍ରୁଟି ଦେଖାଦେଇଥିଲା। ଦୀର୍ଘ ୨ ଘଣ୍ଟା ପରେ ସର୍ଭର ତ୍ରୁଟି ସମାଧାନ ହେବାରୁ ଅଫ୍‌ଲାଇନରେ ଟିକେଟ କରି ପର୍ଯ୍ୟଟକମାନେ ନନ୍ଦନକାନନ ପରିଭ୍ରମଣ କରିଥିଲେ। ସର୍ଭରର ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ସମସ୍ୟା ଦେଖାଦେଇଥିବା ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ରବିବାର ଛୁଟିଦିନ ଥିବାରୁ ନନ୍ଦନକାନନରେ ସକାଳୁ ସକାଳୁ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ହେଲେ ସର୍ଭର ଡାଉନ୍‌ ଯୋଗୁ ମେଶିନରୁ ଟିକେଟ ବାହାରି ନ ଥିଲା। ଅନ୍ୟପକ୍ଷରେ ଅଫ୍‌ଲାଇନ ଟିକେଟ କାଉଣ୍ଟର ବନ୍ଦ ରହିଥିଲା। ଟିକେଟ କାଉଣ୍ଟର ନିକଟରେ ପର୍ଯ୍ୟଟକଙ୍କ ଗହଳି ଲାଗିରହିଥିବା ବେଳେ ଟିକେଟ ମିଳିପାରୁ ନ ଥିଲା। ଫଳରେ ଏକପ୍ରକାର ହୋହଲ୍ଲା ପରିସ୍ଥିତି ଉପୁଜିଥିଲା। ମାଳ ମାଳ ଜୁ ଭଲ୍ୟୁଣ୍ଟର ଥିଲେ ସୁଦ୍ଧା କେହି ପର୍ଯ୍ୟଟକଙ୍କ ପାଖରେ ପହଞ୍ଚତ୍ ସମସ୍ୟାର ସମାଧାନ କରି ନ ଥିଲେ। ନିରାଶ ହୋଇ ପର୍ଯ୍ୟଟକମାନେ ଫେରୁଥିବା ବେଳେ ନନ୍ଦନକାନନ କର୍ତ୍ତୃପକ୍ଷ ଖବର ପାଇ ଘଟଣାସ୍ଥଳରେ ପହଞ୍ଚତ୍ ଲୋକମାନଙ୍କୁ ବୁଝାଶୁଝା କରିଥିଲେ। ନିକଟରେ ଥିବା ଗାଇଡ୍‌ ଏବଂ କର୍ତ୍ତୃପକ୍ଷଙ୍କ ସହାୟତାରେ ପର୍ଯ୍ୟଟକଙ୍କୁ ହ୍ବାଟ୍‌ସଆପ୍‌ ମାଧ୍ୟମରେ ଅନ୍‌ଲାଇନ ଟିକେଟ କରିବାକୁ କହିଥିଲେ। ହେଲେ ସେଥିରେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Dharitri – Odisha’s No.1 Odia Daily

 

 

Share