କେନ୍ଦୁଝର,୧୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଏବେ ମଧ୍ୟ ଅନେକ ଗ୍ରାମ, ସାହିକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଗ୍ରାମକୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ଗାଡ଼ି ଭଳି ଅତ୍ୟାବଶ୍ୟକୀୟ ଯାନ ପହଞ୍ଚି ପାରୁନାହିଁ। ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ରୋଗୀଙ୍କୁ ଗ୍ରାମବାସୀ ଓ ସମ୍ପର୍କୀୟ ଖଟିଆ, ପାଛିଆରେ ବୋହି ଜଙ୍ଗଲ, ନଦୀରେ ପଶି ଯାଉଥିବା ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଥାଏ। ଏଭଳି ଘଟଣା ପୁଣି ତେଲକୋଇ ବ୍ଲକ୍ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ ଦେଖିବାକୁ ମିଳୁଛି।
ପ୍ରକାଶ ଯେ, ତାଳପଦା ମୁଣ୍ଡା ସାହିର ସାମୁଏଲ ମୁଣ୍ଡାଙ୍କ ସ୍ତ୍ରୀ ଲିପି ମୁଣ୍ଡାଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସାହିରେ ମୋବାଇଲ ନେଟ୍ୱର୍କ ନ ଥିବାରୁ ଆମ୍ବୁଲାନ୍ସକୁ ଡାକିବା ସମ୍ଭବ ହୋଇପାରି ନ ଥିଲା। ଗଛ ଉପରକୁ ଯାଇ ସାହିର କିଛି ଯୁବକ ବହୁ କଷ୍ଟରେ ଆମ୍ବୁଲାନ୍ସକୁ କଲ୍ କରିଥିଲେ। ମାତ୍ର ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ପହଞ୍ଚିଲେ ହେଁ ସାହିକୁ ଯାଇ ପାରି ନ ଥିଲା।
ସମାକୋଇ ନଦୀ ଉପରେ ପୋଲ ତିଆରି ହେଉଥିବାରୁ ଗାଡ଼ି ଯାତାୟାତ ନିମନ୍ତେ ନଦୀ ଭିତରେ ଡ୍ରାଇଭରସନ ତିଆରି କରାଯାଇଛି। ହେଲେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ପାଇଁ ଡ୍ରାଇଭରସନ ରୋଡ଼କୁ ପଥର ଓ କାଠ ଖୁଣ୍ଟା ପକାଇ ରାସ୍ତାକୁ ଅବରୋଧ କରିଛନ୍ତି। ଆମ୍ବୁଲାନ୍ସ ଯାଇ ନ ପାରି ସେଠାରେ ରହିଥିଲା। ଫଳରେ ସାହି ଲୋକେ ୨ କି.ମି. ରାସ୍ତା ଗର୍ଭବତୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଲିପିଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ମିଳିଛି।