ମୋହନା, ୨୧ା୧( ମନ୍ମଥ ମିଶ୍ର): ରାସ୍ତା ନଥିବାରୁ ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ବାଡେଗୁଡା ପଞ୍ଚାୟତ ପଡ଼େରେମା ଗାଁରେ। ଗାଁର ଲଷ୍ମୀ ନାୟକ ନାମକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା।
ଘରଲୋକ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ, ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ପହଞ୍ଚିଥଲା। ତେବେ ବାଡେଗୁଡା ଠାରୁ ପଡ଼େରେମା ଗାଁକୁ ଭଲ ରାସ୍ତା ନଥିବାରୁ ବାଡେଗୁଡାରେ ଆମ୍ବୁଲାନ୍ସଟି ରହିଯାଇଥିଲା। ଫଳରେ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ, ପାଇଲଟ ଆଲୋକ କୁମାର ନାୟକ ଓ ସଞ୍ଜୟ ଦଳବେହେରାଙ୍କ ପ୍ରଚେଷ୍ଟାରେ ଷ୍ଟ୍ରେଚରରେ ଦୀର୍ଘ ୩ କି.ମି ବୋହି ମହିଳାଙ୍କୁ ନେଇଥିଲେ ଏବଂ ଗାଡ଼ିରେ ମହିଳାଙ୍କୁ ଅଡବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଥିଲେ।
ମେଡିକାଲରେ ମହିଳାଙ୍କର ଏକ ପୁତ୍ର ସନ୍ତାନ ଜନ୍ମହେଇଥିବାବେଳେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ନେଇ ଡାକ୍ତର ଅମରେଶ କୁମାର ପାତ୍ର କହିଛନ୍ତି। ତେବେ ବାଡେଗୁଡା ଠାରୁ ପଡ଼େରେମା ରାସ୍ତା ନିର୍ମାଣ ନିମନ୍ତେ ବାରମ୍ବାର ପ୍ରଶାସନକୁ ଅଭିଯୋଗ କଲେ ମଧ୍ୟ ଦୀର୍ଘଦିନ ହେଲା ରାସ୍ତା ନିର୍ମାଣ ହେଇପାରୁନି। ଗାଁ କୁ ଭଲ ରାସ୍ତାଟିଏ ହେଲେ ମୌଳିକ ସୁବିଧା ପାଇପାରିବେ ବୋଲି ଗ୍ରାମବାସୀ କହିଛନ୍ତି।