ଭୁବନେଶ୍ୱର,୩ା୧୧: ରାଜ୍ୟକୁ ଏବେ ବର୍ଷା ଭୟ ନାହିଁ। ଗୋଟିଏ କିମ୍ବା ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ବାକି ସମସ୍ତ ଜିଲାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ରାୟଗଡ଼ା ଓ ରାଜ୍ୟର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲାଗୁଡ଼ିକର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।
ଅପରପକ୍ଷେ ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପୂର୍ବ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପୂର୍ବ ଆରବସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ରହିଛି। ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଂଶ ଏବଂ ସଂଲଗ୍ନ ଅଞ୍ଚଳ ଉପରେ ଆଉ ଏକ ଲଘୁଚାପ କ୍ଷେତ୍ର ରହିଛି। ଏହା ପ୍ରଭାବରେ ଗୁଜରାଟ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ସିକିମ୍, ବିହାର ଏବଂ ଉତ୍ତର-ପୂର୍ବ ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।


