କୁନ୍ଦୁରା,୪ା୧୦(ସନ୍ତୋଷ ପ୍ରହରାଜ)-କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ଅନାସ୍ଥା ପୂର୍ବରୁ ଶୁକ୍ରବାର ଇସ୍ତଫା ଦେଇଥିଲେ। ଏହା ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଭୋଟିଂ ପ୍ରକ୍ରିୟା କରାଯାଇଛି। ୧୯ା୯ା୨୦୨୫ ପ୍ରେରିତ ହୋଇଥିବା ଜୟପୁର ଉପଜିଲାପାଳଙ୍କ ପତ୍ର ସଂଖ୍ୟା ୭୮୫୭/୨୫ ଅନୁସାରେ କୁନ୍ଦୁରା ତହସିଲଦାର ବିନୋଦ କୁମାର ନାୟକଙ୍କ ନେତୃତ୍ୱରେ ବ୍ଲକ୍ କାର୍ଯ୍ୟାଳୟରେ ସ୍ବତନ୍ତ୍ର ପଞ୍ଚାୟତ ସମିତି ବୈଠକ ଓ ଅନାସ୍ଥା ଭୋଟ ହୋଇଥିଲା। ଏଥିରେ କୁନ୍ଦୁରା ବ୍ଲକର ୧୬ ପଞ୍ଚାୟତ ମଧ୍ୟରୁ ୧୪ ପଞ୍ଚାୟତର ୧୪ ସରପଞ୍ଚ ଓ ୧୪ ସମିତିସଭ୍ୟ ଅନାସ୍ଥା ପ୍ରସ୍ତାବରେ ମତଦାନ କରିଥିଲେ। କୁନ୍ଦୁରା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଜଗତସିଂହ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁନ୍ଦୁରା ଥାନା ଅଧିକାରୀ ଅଶ୍ୱିନୀ କୁମାର ପଟ୍ଟନାୟକ ଟିମ୍ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିଥିଲେ। କୁନ୍ଦୁରା ବ୍ଲକ ଗଠନର ୬୫ ବର୍ଷ ପରେ ଏହା ପ୍ରଥମ ଅନାସ୍ଥା ଭୋଟ ଥିଲା। ଏହି ଅନାସ୍ଥା ଭୋଟିଂ ପ୍ରକ୍ରିୟାକୁ କେତେଜଣ ଲୋକ ଗ୍ରହଣ କରି ନ ଥିବା ଦେଖିବାକୁ ମିଳିଛି।
ସୂଚନାନୁଯାୟୀ, ଅଧ୍ୟକ୍ଷା ପରଜା ଶୁକ୍ରବାର ଜୟପୁର ଉପଜିଲାପାଳ ଆକାବରମ ଶସ୍ୟା ରେଡ୍ଡୀ ଓ କୁନ୍ଦୁରା ବିଡିଓ ପି.ମନସ୍ମିତାଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଇସ୍ତଫା ପତ୍ର ଦେବା ପରେ ଅନାସ୍ଥା ଭୋଟିଂ କରାଯିବା ଜିଲା ପ୍ରଶାସନର ତ୍ରୁଟି ବୋଲି ଅଧ୍ୟକ୍ଷା ପରଜା କହିଛନ୍ତି। କିନ୍ତୁ ତହସିଲଦାର ନାୟକ ଏହାକୁ ଖଣ୍ଡନ କରିଛନ୍ତି। ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୪୬(ବି) ଅନୁସାରେ ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ସେପ୍ଟେମ୍ବର ୧୯ ତାରିଖରେ ଶନିବାର ଭୋଟିଂ ହେବା ନେଇ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଚିଠି ହୋଇସାରିଥିଲା। ବ୍ଲକ ଅଧ୍ୟକ୍ଷା ଦିନକ ପୂର୍ବରୁ ଇସ୍ତଫା ଦେଇଛନ୍ତି। ଏହି ପତ୍ର ଜିଲା ପଞ୍ଚାୟତିରାଜ ଅଫିସରଙ୍କ ମାଧ୍ୟମରେ ଜିଲାପାଳଙ୍କ ନିକଟକୁ ଯାଇ ଗୃହୀତ ହେବା ପରେ ତାକୁ କାର୍ଯ୍ୟକାରୀ କରାଯାଇପାରିବ। ଏହା ୨ରୁ୩ ଦିନର ପ୍ରକ୍ରିୟା ହୋଇଥିବାରୁ ବ୍ଲକ ଅଧ୍ୟକ୍ଷାଙ୍କ ଇସ୍ତଫା ଦେବା ସତ୍ତ୍ୱେ ଅନାସ୍ଥା ଭୋଟିଂ କରାଯାଇଛି ବୋଲି ତହସିଲଦାର କହିଛନ୍ତି।
ବୈଠକରେ ନବରଙ୍ଗପୁର ବିଜେଡି ନେତା ପ୍ରଦୀପ ମାଝୀ, କୋରାପୁଟ ଜିଲା ପରିଷଦ ଉପାଧ୍ୟକ୍ଷ ରାଧାବିନୋଦ ସାମନ୍ତରାୟ, କୁନ୍ଦୁରା ବ୍ଲକ ବିଜେଡି ସଭାପତି ବୃନ୍ଦାବନ ମଳିକ,ବରିଷ୍ଠ ବିଜେଡି ନେତା ନରେନ୍ଦ୍ର ପ୍ରଧାନ, ଜୟପୁର ନିର୍ବାଚନ ମଣ୍ଡଳୀ ବିଜେଡି ନେତା ଧର୍ମେନ୍ଦ୍ର ଅଧିକାରୀ ଏବଂ ସ୍ଥାନୀୟ ରାଜନେତା ଓ କର୍ମୀ ଉପସ୍ଥିତ ଥିଲେ। ନୂତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ପୂରଣ ନ ହେବା ଯାଏ ଉପାଧ୍ୟକ୍ଷ କାର୍ଯ୍ୟ ସମ୍ପାଦନ କରିବା ସୂଚନା ମିଳିଛି।