ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍‌କା, ହାଇକୋର୍ଟ ଦେଲେ ବଡ଼ ରାୟ…

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ ବିଜେଡିକୁ ଆଉ ଏକ ଝଟ୍‌କା ଲାଗିଛି । ଯାହା ନୂଆପଡ଼ା ନିର୍ବାଚନ ଉପରେ ପ୍ରଭାବ ପକାଇପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି । ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ କାଉନସିଲର ଆଣିଥିବା ଅନାସ୍ଥା ପ୍ରସ୍ତାବ ଭୋଟିଂ ପରେ ହାଇକୋର୍ଟ ଗଣତି ପାଇଁ ଯେଉଁ ରହିତାଦେଶ ଜାରି କରିଥିଲେ। ସେନେଇ ବୁଧବାର ହାଇକୋର୍ଟରେ ଶୁଣାଣି ହୋଇଛି।
ଉକ୍ତ ଶୁଣାଣିରେ ହାଇକୋର୍ଟ ବିଚାରପତି ଗଣତି କରିବା ନେଇ ରାୟ ଦେଇଥିବା କିଛି କାଉନସିଲର ସୂଚନା ଦେଇଛନ୍ତି। ତେବେ ଏନେଇ ନିର୍ବାଚନ ଅଧିକାରୀ ତଥା ରାୟଗଡ଼ା ଉପଜିଲାପାଳ ରମେଶ ଚନ୍ଦ୍ର ଜେନାଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ହାଇକୋର୍ଟରୁ କୌଣସି ନିର୍ଦ୍ଦେଶ ଆସିନାହିଁ ବୋଲି କହିଛନ୍ତି । ଅନ୍ୟପଟେ ଏନେଇ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କୁ ପଚାରିବାରୁ ତାଙ୍କ ନିକଟରେ ଏନେଇ କୌଣସି ସୂଚନା ନାହିଁ ଏବଂ ଶୁଣାଣି ତାରିଖ ପରିବର୍ତନ ହୋଇଛି ବୋଲି କହିଛନ୍ତି ।
ପ୍ରକାଶ ଥାଉକି, ରାଜ୍ୟ ସଭା ପୂର୍ବତନ ଏମ୍‌ପି ଏନ୍‌.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା, ରାୟଗଡ଼ା ପୌର ପରିଷଦର ୧୯ଜଣ କାଉନସିଲର ଏକକାଳିନ ଦଳ ଛାଡ଼ିଛନ୍ତି। ଏହାପରେ ରାୟଗଡ଼ା ପୌର ପରିଷଦର ୨୪ଜଣ କାଉନସିଲରଙ୍କ ମଧ୍ୟରୁ ବିଜେଡିର ୧୯ଜଣ କାଉନସିଲର କାର୍ଯ୍ୟରେ ଅସହଯୋଗ ଓ ମନମୁଖୀ କାର୍ଯ୍ୟକଳାପ ନେଇ ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଏନେଇ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଇଥିଲେ। ଏହାପରେ ବିଧିବଦ୍ଧ ଭାବେ ପ୍ରକ୍ରିୟା କରାଯାଇ ଅକ୍ଟୋବର ୯ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା। ଏଥିରେ ବିଜେଡିର ୨୦ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟିଂ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ଦ୍ୱାରା ହାଇକୋର୍ଟରେ ଅନାସ୍ଥା ବିରୋଧରେ ହୋଇଥିବା ଆବେଦନ ପ୍ରକାରେ ଉକ୍ତ ଦିନ ହାଇକୋର୍ଟ ବିଚାରପତି ଗଣତି ଉପରେ ରହିତାଦେଶ ଜାରି କରିଥିଲେ।
ତେବେ ପରବର୍ତ୍ତୀ ତାରିଖ ଅକ୍ଟୋବର ୧୫ ରହିଥିଲେ ହେଁ ପୁଣି ଥରେ ତାରିଖ ପରିବର୍ତ୍ତନ ହୋଇ ବୁଧବାର ରହିଥିଲା। ବୁଧବାର ହାଇକୋର୍ଟ ବିଚାରପତି ଏହାର ଶୁଣାଣି କରି ଗଣତି ହୋଇପାରିବ ଏବଂ ନୋଟିଫିକେସନ ଜାରି କରାଯାଇପାରିବ ନାହିଁ ବୋଲି ରାୟ ଦେଇଥିବା ସରକାରୀ ଆଇନଜୀବୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି । ଏଥି ସହିତ ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ତାରିଖରେ ହେବ ବୋଲି ସରକାରୀ ଆଇନଜୀବୀ ସାହୁ କହିଛନ୍ତି ।
Dharitri – Odisha’s No.1 Odia Daily

Share