ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଲା ନୂଆମୋଡ଼, ୧୫ ସଭ୍ୟଙ୍କୁ ଚ୍ୟାଲେଞ୍ଜ କରି…

ଗଞ୍ଜାମ/ଛତ୍ରପୁର,୧୮ା୧୦(ଦିଲ୍ଲୀପ ସାମଲ/ଅଖିଳ ତରାଇ): ଗଞ୍ଜାମ ଜିଲା ହୁମ୍ମା ପଞ୍ଚାୟତରେ ରାଜନୈତିକ ଘଟଣାକ୍ରମ ଏକ ନୂଆମୋଡ଼ ନେଇଛି। ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଜାନକୀ ଦାସଙ୍କ ନେତୃତ୍ୱ ଏବଂ କାର୍ଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ୧୫ ଜଣ ଓ୍ବାର୍ଡସଭ୍ୟ ଏକଜୁଟ୍‌ ହୋଇ ଅନାସ୍ଥା ପ୍ରସ୍ତାବ ଆଣିଥିବା ବେଳେ, ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ୫ ଜଣ ଓ୍ବାର୍ଡ ସଭ୍ୟ ଏବଂ ସରପଞ୍ଚ ଆଜି ଉପଜିଲାପାଳଙ୍କୁ ଭେଟିଛନ୍ତି। ସେମାନେ ନାଏବ ସରପଞ୍ଚ ମିଥୁନ ପରିଡ଼ାଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି।

ଅଭିଯୋଗ ଅନୁଯାୟୀ, ନାଏବ ସରପଞ୍ଚ ମିଥୁନ ପରିଡ଼ା ଓ୍ବାର୍ଡ ସଭ୍ୟମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ହୁମ୍ମା ହାଟକୁ ମତ୍ସ୍ୟ ବିଭାଗରୁ ପଞ୍ଚାୟତକୁ ଫେରାଇ ଆଣିବା କହି ଖାଲି କାଗଜରେ ଦସ୍ତଖତ ନେଇଥିଲେ। ପରେ ସେମାନଙ୍କୁ ଦାବିପତ୍ର ଦେବା କହି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଡାକି ନେଇଥିଲେ। କିନ୍ତୁ ସେଠାରେ ଜଣାପଡ଼ିଥିଲା ଯେ, ଏହା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଦରଖାସ୍ତ ଥିଲା। ଏହି ଧୋକାବାଜିରେ ଅସନ୍ତୁଷ୍ଟ ହୋଇ ୫ ଜଣ ସଭ୍ୟ ଏବଂ ସରପଞ୍ଚ ଏହାକୁ ଖାରଜ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।

ପ୍ରକାଶ ଥାଉକି, ଗତକାଲି ୧୬ ଜଣ ସଭ୍ୟଙ୍କ ମଧ୍ୟରୁ ୧୫ ଜଣ ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦାବିପତ୍ର ପ୍ରଦାନ କରିଥିଲେ। ଆଇନାନୁସାରେ ଏହି ପ୍ରସ୍ତାବକୁ ପାରିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହି ଘଟଣା ସ୍ଥାନୀୟ ରାଜନୀତିରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଗ୍ରାମବାସୀ ଏହି ରାଜନୈତିକ କଳହରେ ବିଭ୍ରାନ୍ତ ହୋଇପଡ଼ିଛନ୍ତି, ଯାହା ପଞ୍ଚାୟତର ବିକାଶକାର୍ଯ୍ୟକୁ ପ୍ରଭାବିତ କରିପାରେ।
ଉପଜିଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ଏବଂ ଆଗାମୀ ବୈଠକର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି। ଏହି ମାମଲା ପଞ୍ଚାୟତରେ ଅଭ୍ୟନ୍ତରୀଣ ବିବାଦକୁ ଉଜାଗର କରିଛି, ଯାହା ରାଜ୍ୟର ଅନ୍ୟ ପଞ୍ଚାୟତ ପାଇଁ ଏକ ଚେତାବନୀ ହୋଇପାରେ। ସରପଞ୍ଚ ଜାନକୀ ଦାସ କହିଛନ୍ତି, ଏହା ଏକ ଷଡ଼ଯନ୍ତ୍ର ଏବଂ ସେ ନ୍ୟାୟ ପାଇବେ।

Dharitri – The Largest & Most Trusted Odia Daily